ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା: ଫୋରେନ୍ସିକ ଯାଞ୍ଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି

ଭୁବନେଶ୍ୱର(ଏନ୍.ଏମ୍.): ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଜେଲରୁ ସ୍ଥାନାନ୍ତର ସମୟରେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ପୁଲିସ ଏନକାଉଣ୍ଟର କରିଥିବା କହୁଥିବାବେଳେ ପରିବାର ଲୋକେ କିନ୍ତୁ ପୁଲିସ ହାଇଦରକୁ ଜାଣିଶୁଣି ହତ୍ୟା କରିଥିବା ଭଳି ଅଭିଯୋଗ ଆଣିଛନ୍ତି । ତେବେ ଏ ନେଇ ମଧ୍ୟ ତଦନ୍ତ ବଳବତ୍ତର ରହିଛି । ଏବେ ପୁଲିସ ହାଇଦରକୁ ଏନକାଉଣ୍ଟର କରିବା ସମୟରେ ବ୍ୟବହୃତ ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟିକୁ ଫୋରେନ୍ସିକ ଯାଞ୍ଚ ପାଇଁ ପଠାଯାଇଥିବା ଜଣାପଡ଼ିଛି । ପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିବା ପରେ ପୁଲିସ ପକ୍ଷରୁ ଗତକାଲି ହାଇଦର ଏନକାଉଣ୍ଟର ସହ ଜଡ଼ିତ ବିଭିନ୍ନ ସାମଗ୍ରୀକୁ ଫୋରନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ହାଇଦର ମୃତ୍ୟୁର ୧୨ଦିନ ପରେ ତାକୁ ମରାଯାଇଥିବା ବନ୍ଧୁକ, ଗୁଳି, କପଡ଼ା, ରକ୍ତଭିଜା ମାଟି ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ରାଜ୍ୟ ଫୋରେନ୍ସିକ ଲ୍ୟାବକୁ ପଠାଇଥିବା ସମ୍ପର୍କରେ ବାଲେଶ୍ୱର ଡିଏସପି ବଳରାମ ନାୟକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ହାଇଦରକୁ ଗତ ଜୁଲାଇ ୨୪ ତାରିଖରେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବାବେଳେ ସେ ଖସିବାକୁ ଉଦ୍ୟମ କରୁଥିବାରୁ ପୁଲିସ ତାକୁ ଗୁଳି କରିଥିଲା । ପୁଲିସ ଗୁଳିରେ ତା’ର ମୃତ୍ୟୁ ହୋଇଥିଲା । ତେବେ ତା’ର ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିବା ପରେ କମିଶନରେଟ ପୁଲିସର ଏକ ଟିମ୍ ତାକୁ ଗୁଳି କରାଯାଇଥିବା ସ୍ଥାନକୁ ଜୁଲାଇ ୨୫ତାରିଖରେ ଗସ୍ତ କରି ସରଜମିନ ଯାଞ୍ଚ କରିଥିଲା ।