ଗୁଜରାଟରେ ତଉତେର ତାଣ୍ଡବ: ବାତ୍ୟା ଦୁର୍ବଳ, ଚାଲିଛି ଉଦ୍ଧାର କାର୍ଯ୍ୟ

ଗୁଜରାଟରେ ତଉତେର ତାଣ୍ଡବ: ବାତ୍ୟା ଦୁର୍ବଳ, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ତଉତେ ଗୁଜରାଟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିବା ପରେ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତଉତେ ସମ୍ପ୍ରତି ଅବପାତର ରୂପ ନେଇ ସାରିବା ପରେ ଦକ୍ଷିଣ ରାଜସ୍ଥାନ ଓ ଗୁଜରାଟରେ ସମାନ୍ତରଳ ଭାବେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ଦୁର୍ବଳ ହୋଇସାରିଥିଲେ ମଧ୍ୟ ଅବପାତ ପ୍ରଭାବରେ ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗର ସୂଚନା ଆଧାରରେ ଜଣାପଡ଼ିଛି । ରାଜସ୍ଥାନର ଉଦୟପୁର ଠାରୁ ଅବପାତ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗର ୬୦ କିଲୋମିଟର ଓ ଗୁଜରାଟର ଦୀସା ଠାରୁ ୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ୨ ଦିନ ମଧ୍ୟରେ ରାଜସ୍ଥାନ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅତିକ୍ରମ କରିବ ବୋଲି କୁହାଯାଇଛି । ଅବପାତ ପ୍ରଭାବରେ ପୂର୍ବ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ଏଥିସହିତ ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଶ୍ଚିମ ଉତ୍ତର ପ୍ରଦେଶ ଓ ପଶ୍ଚିମ ରାଜସ୍ଥାନରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରରଣର ବର୍ଷା ହେବବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପୂର୍ବ ରାଜସ୍ଥାନ ଓ ଗୁଜରାଟର କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୪୫ରୁ ୫୫ କିଲୋମିଟର ରୁ ୬୫ କିଲୋମିଟର ରହିବ ବୋଲି ମଧ୍ୟ ବିଭାଗ ପୂର୍ବାନୁମାନ କରିଛି । ପୁନଶ୍ଚ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେଇ ଗୁଜାରାଟରେ ଲ୍ୟାଣ୍ଡଫଲ କରିଥିବା ତଉତେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବାତ୍ୟାରେ ପ୍ରଭାବିତ ହୋଇ ୧୩ ଜଣଙ୍କ ମୃତ୍ୟୁ ହୋଇବେଳେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏ ନେଇ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରୁଥିବାବେଳେ ଅମରେଲି, ଗିର ସୋମନାଥ, ଜୁନାଗଡ଼, ପୋରବନ୍ଦର, ରାଜକୋଟ, ଭାବନଗର ଓ ବୋତାଦ ବାତ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଆକଳନ ଅନୁଯାୟୀ ବାତ୍ୟା ଯୋଗୁଁ ୫,୯୫୧ଟି ଗାଁରେ ବିଜୁଳି ଯୋଗାଣ ଠପ ହୋଇଯାଇଛି । ୭୦ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ୪ଟି ୨୨୦ କେଭି ସବ ଷ୍ଟେସନ ନଷ୍ଟ ହୋଇ ଯାଇଛି । ବାତ୍ୟାରେ ୧୬୫ଟି ଉଚ୍ଚକ୍ଷମତା ସମ୍ପନ୍ନ ୬୬ କିଲୋଭୋଲ୍ଟ ସବଷ୍ଟେସନ ମଧ୍ୟରୁ ୬୮ଟି କ୍ଷତିଗ୍ରସ୍ତ ହୋଇଥିଲା । ଏହାକୁ ଏବେ କାର୍ଯ୍ୟକ୍ଷମ କରାଯାଉଛି । ବାତ୍ୟା ଉକ୍ତ ଅଞ୍ଚଳରେ ୪୨୫ଟି କୋଭିଡ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ମଧ୍ୟରୁ ୧୨୨ଟିରେ ବିଜୁଳି ସମସ୍ୟା ଦେଖାଦେଇଛି । ଏବେ ୮୩ଟି ହସ୍ପିଟାଲରେ ବିଜୁଳି ଯୋଗାଣ ହୋଇଥିବା ସୂଚନା ଦିଆଯାଇଛି । ତେବେ ଖୁବ ଶିଘ୍ର ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟଚାଲିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ