କୟଳପଡ଼ା ପଞ୍ଚାୟତ ପାଇଁ ଅପହଞ୍ଚ ହୋଇ ପଡ଼ିଛି ମୋ’ ବସ ସେବା : ବିଧାୟକଙ୍କ ପ୍ରତିଶ୍ରୁତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି !
#ଚୌଦ୍ୱାର(ଏନ୍.ଏମ୍.): ନେତାମାନେ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ସମୟରେ ମିଠା ମିଠା ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ସେ ସବୁ ପାଣିର ଗାର ବୋଲି ସାବ୍ୟସ୍ତ ହୋଇଥାଏ । ସେହିଭଳି ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ଏବେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର କୟଳପଡ଼ା ପଞ୍ଚାୟତରେ ଜନଅସନ୍ତୋଷ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜନସାଧାରଣଙ୍କ ଦାବି ଅନୁଯାୟୀ ବର୍ତ୍ତମାନର ବିଧାୟକ ଏବଂ ତାଙ୍କ ବାପା ପୂର୍ବତନ ବିଧାୟକ ଅଞ୍ଚଳବାସୀଙ୍କ ମୋ’ବସ୍ ସେବା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ଦେବାର ମାସ ପରେ ମାସ ବିତି ଯାଇଥିଲେ ମଧ୍ୟ ଏହା ପୂରଣ ହେବାରେ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ରାଜ୍ୟ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନାମାନ ପ୍ରଚଳନ କରିଥିବାବେଳେ ସେଥି ମଧ୍ୟରୁ ଜନସାଧାରଣଙ୍କ ଗମନାଗମନ ନିମନ୍ତେ ମୋ’ବସ ସେବା ଅନ୍ୟତମ । ଜିଲ୍ଲାର ବିଭିନ୍ନପ୍ରାନ୍ତରୁ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଡ଼ିବା ତଥା ଜନସାଧାରଣଙ୍କ ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ ଏହାକୁ ପ୍ରଚଳନ କରାଯାଇଥିଲା । ଫଳରେ ଜିଲ୍ଲାର କୋଣ ଅନୁକୋଣରୁ ଜନସାଧାରଣ ସୁବିଧାରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ତଥା ସହର ବଜାରକୁ ଆସି ଜୀବନ ଜୀବିକା ଅର୍ଜନ କରି ପାରିବେ । ମାତ୍ର ଦୀପ ତଳ ଅନ୍ଧାର ସଦୃଶ କୟଳପଡ଼ା ପଞ୍ଚାୟତରେ ବିଧାୟକ ପ୍ରତିଶ୍ରୁତି ପରେ କେବେ ମୋ’ବସ ସେବା କାର୍ଯ୍ୟକାରୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଓ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ବାରମ୍ବାର ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ଏ ନେଇ ଗୁରୁତ୍ୱ ଦେଉନଥିବା ଅଞ୍ଚଳରେ ଆଲୋଚନା ହେଉଛି । ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ ଓ ଗ୍ରାମର କିଛି ଜନସାଧାରଣ ଏ ନେଇ ବିଧାୟକ ଓ ତାଙ୍କ ପିତାଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଓ ନିବେଦନ କରିଥଲେ ମଧ୍ୟ ଫଳ ଶୂନ । ସେହିଭଳି ସ୍ଥାନୀୟ ନୂଆପାଟଣା ଛକ ଦେଇ ଧବଳେଶ୍ୱରରୁ ସିଡିଏ ଦେଇ ମୋ’ ବସ ଯାତାୟତ କରୁଥିବାଳେ ତେବେ ଏହି ପଞ୍ଚାୟତ ଦେଇ କାହିଁକି ମୋ’ ବସ୍ ସେବା ଉପଲବ୍ଧ ନହେବ ଏ ନେଇ ବିଧାୟକଙ୍କୁ ଗ୍ରାମବାସୀମାନେ ପ୍ରଶ୍ନ କରିଥିଲେ । ତେବେ ଏହି ପଞ୍ଚାୟତ ରୁଟ ଦେଇ ଚୌଦ୍ୱାରରୁ କଟକ ପର୍ଯ୍ୟନ୍ତ ମୋ’ ବସ ଯାତାୟତ କରିବା ଦ୍ୱାରା ଅନେକ ପଞ୍ଚାୟତ, ଚୌଦ୍ୱାର ମ୍ୟୁନିସପାଲିଟି ତଥା ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହେବା ସହ ବହୁ କଲେଜ ଛାତ୍ର ଛାତ୍ରୀ, କର୍ମଚାରୀ, ସମସ୍ତ ଜନସାଧାରଣ ଉପକୃତ ହୋଇଥାନ୍ତେ । ତୁରନ୍ତ ଏହାର ସମାଧାନ ଲାଗି ଜନସାଧରଣ ସ୍ଥାନୀୟ ବିଧାୟକଙ୍କ ପାଖରେ ଦାବି ରଖିଛନ୍ତି । ତେବେ ଏହି ରୁଟ ଦେଇ ତୁରନ୍ତ ମୋ’ ବସ ସେବା ଆରମ୍ଭ ନକଲେ ଟିପିଏମ ବଜାର, ଚଷାପଡ଼ା, ଇନ୍ଦ୍ରାଣୀପାଟଣା, ପାଇକରାୟପୁର, ଢିଅସାହି, ନୂଆପାଟଣା ଆଦି ଅଞ୍ଚଳର ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।