ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେବେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ପଜେଟିଭ ରୋଗୀଙ୍କୁ ଚିହ୍ନଟ କରିବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା କରୁଛି । ତଥାପି, ଆହୁରି ଅଧିକ ନମୂନା ପରୀକ୍ଷାର ଆବଶ୍ୟକତା ରହିଛି । ଲ୍ୟାବ ଦ୍ୱାରା କୋଭିଡ -୧୯ ପାଇଁ ପରୀକ୍ଷା କରିବା ସହଜ ନୁହେଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ଉଠିଛି । ତେବେ ଲୋକଙ୍କ ଏହି ସମସ୍ୟା ଦୂର କରିବା ପାଇଁ ବର୍ତ୍ତମାନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏକ ସ୍ୱୟଂ ପରୀକ୍ଷଣ କୋଭିଡ୍ -୧୯ କିଟ କୋଭିସେଲ୍ଫକୁ ଅନୁମୋଦନ କରିଛି ।
ଯେକୌଣସି ବ୍ୟକ୍ତି ଘରେ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଏହି କିଟ୍ ବ୍ୟବହାର କରିପାରିବେ । ତେଣୁ କୌଣସି ବ୍ୟକ୍ତି ନମୁନା ପରୀକ୍ଷା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପାଥୋଲୋଜି ବା ଲାବୋରେଟୋରୀ ଯିବାର ଆବଶ୍ୟକତା ନାହିଁ । ସାର୍କ-କୋଭ-୨ର ଉପସ୍ଥିତି ଜାଣିବା ପାଇଁ କୋଭିସେଲ୍ଫ ହେଉଛି ଏକ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ (ଆରଏଟି) । ଏଥିରେ କେବଳ ନାଜାଲ ନମୁନା ନେଇ କରୋନା ପରୀକ୍ଷା କରିହେବ । ଆଇସିଏମଆର କହିଛି ଯେ, ଆରଏଟି ଦ୍ୱାରା କେବଳ କରୋନା ଲକ୍ଷଣ ଥିବା ବ୍ୟକ୍ତି ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହିଁ ଘରେ ନିଜର ପରୀକ୍ଷା କରିପାରିବେ । କୋଭିସେଲ୍ଫ କିଟ୍ ଦ୍ୱାରା ନମୁନା ପରୀକ୍ଷା କରିବାକୁ ଡାକ୍ତରଙ୍କ କୌଣସି ପ୍ରେସକ୍ରିପସନର ଆବଶ୍ୟକ ନାହିଁ । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନିଜର ନାଜାଲ ସ୍ୱାବ ଗ୍ରହଣ କରି ଏହି ପରୀକ୍ଷା କରିପାରିବେ । ଏହା ସହ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ୨ବର୍ଷରୁ ଅଧିକ ବୟସ୍କଙ୍କ ସ୍ୱାବ ନମୁନା ନେଇ କୋଭିସେଲ୍ଫ ଦ୍ୱାରା କରୋନା ପରୀକ୍ଷା କରିପାରିବେ ବୋଲି ଆଇସିଏମଆର କହିଛି । କୋଭିସେଲ୍ଫ କିଟ୍ ଏକ ମାନୁଆଲ୍ ସହିତ ଆସିବ, ଯାହାକୁ ଅନୁସରଣ କରି କରୋନା ପରୀକ୍ଷା କରାଯାଇ ପାରିବ । ଏହି କିଟରେ ଏକ ନାଜାଲ ସ୍ୱାବ, ଏକ ପ୍ରି ଫିଲଡ ଏକ୍ସଟ୍ରାକ୍ସନ ଟ୍ୟୁବ୍ ଏବଂ ଏକ ଟେଷ୍ଟ କାର୍ଡ ରହିଛି । କୋଭିସେଲ୍ଫ କିଟ୍ କିଣିବା ପରେ, ଉପଭୋକ୍ତାମାନେ ମୋବାଇଲ୍ ଫୋନରେ ମାଇଲାବ୍ ଆପ୍ ଡାଉନଲୋଡ୍ କରିବେ ଏବଂ ସେମାନଙ୍କର ପରିଚୟପତ୍ର ପୂରଣ କରିବେ ବୋଲି ଆଇସିଏମ୍ଆର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।