କୋଣାର୍କ ଭଗବତୀ ମହାବିଦ୍ୟାଳୟ ସ୍ଥାଇ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି
କୋଣାର୍କ (ଏନ୍.ଏମ୍.): ଦୀର୍ଘ ଦିନ ଧରି କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ସ୍ଥାଇ ଅଧ୍ୟକ୍ଷ ନଥିବାରୁ ବହୁବିଧ ସମସ୍ୟାରେ ମହାବିଦ୍ୟାଳୟଟି ଗତି କରୁଛି । ପୂର୍ବତ୍ତନ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମିଶ୍ରଙ୍କ ଅବସର ପରେ ଏଯାବତ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ମହାବିଦ୍ୟାଳୟର ଅଧ୍ୟାପକ ନୟନ ଦତ୍ତଙ୍କୁ କାମଚଲା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ମହାବିଦ୍ୟାଳୟ ପରିଚାଳନା ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ଏପରିକି ମହାବିଦ୍ୟାଳୟର ଆର୍ଥିକ ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ୧୯୭୮ ମସିହାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ କୋଣାର୍କରେ ସ୍ଥାପିତ ହୋଇଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ । ଇତି ମଧ୍ୟରେ ଏହି ମହାବିଦ୍ୟାଳୟକୁ ୪୪ବର୍ଷ ବିତିଗଲାଣି । ହେଲେ ଉଚ୍ଚ ଶିକ୍ଷାର ବିକାଶ ତ ଦୂରର କଥା ଏହି ମହାବିଦ୍ୟାଳୟ କବଜ୍ଜାରେ ଥିବା ଜମି ଏଯାବତ ମହାବିଦ୍ୟାଳୟ ନାମରେ ହୋଇ ନାହିଁ । ଫଳରେ ମହାବିଦ୍ୟାଳଟି ଶୈକ୍ଷିକ ବିକାଶ ଦିଗରେ ଅଗ୍ରସର ହୋଇପାରୁ ନାହିଁ । ମହାବିଦ୍ୟାଳୟ ଆରମ୍ଭରୁ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି । ମହାବିଦ୍ୟାଳୟର ବିପଦସଙ୍କୁଳ ପୁରୁଣା ନୁଆଣିଆଁ ଆଜବେଷ୍ଟ ଘରେ ୧୮ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏଠାରେ ଚାଲିଛି ଶିକ୍ଷାଦାନ । ମହାବିଦ୍ୟାଳୟରେ ସ୍ଥାଇ ଅଧ୍ୟକ୍ଷ ନଥିବା ଯୋଗୁଁ ଏପରି ଦୟନୀୟ ଅବସ୍ଥା ହୋଇଛି ବୋଲି ଚର୍ଚ୍ଚା ହେଉଛି । ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦାବିରେ କୋଣାର୍କ ଭଗବତୀ ଭାହବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରି ଆସୁଥିଲେ ମଧ୍ୟ ଏଯାବତ ପୁରଣ ହୋଇ ନାହଁ । ଏଠାରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର, ଜିଲ୍ଲାପାଳ ପୁରୀ, ଉପ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ କୋଣାର୍କ ଥାନାଧିକାରୀଙ୍କୁ ଜଣେ ନୂତନ କ୍ୟାଡର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଓ ମହାବିଦ୍ୟାଳୟର ବହୁବିଧ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ କୋଣାର୍କ-ପିପିଲି ରାଜରାସ୍ତାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।