କୋଣାର୍କ ଏଏସଆଇ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ
ମନ୍ଦିର ପରିସରରୁ ୫୦ରୁ ଉର୍ଦ୍ଧ୍ୱ ପୁରୁଣା ଗଛ ଉଭାନ: ଉଚ୍ଚସ୍ତରୀୟ ତଦନ୍ତ ଦାବି

#କୋଣାର୍କ (ଏନ୍.ଏମ୍.): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ସ୍ଥାନୀୟ ଏଏସଆଇ ଅଧିକାରୀ ଓ ପ୍ରାଚୀର ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅସାଧୁମେଣ୍ଟ ଓ ମଧୁଚନ୍ଦ୍ରିକା ନୀତି ଏବେ ପଦାରେ ପଡ଼ିଛି । ଏଥି ପାଇଁ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ୫୦ରୁ ଉର୍ଦ୍ଧ୍ୱ ପୁରୁଣା ଗଛ ରାତିଅଧିଆ ଭାବେ ଉଭାନ କରାଯିବା ଘଟଣା କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ପରିବେଶବିତ, ସଂସ୍କୃତି ବିଶାରଦ, ଐତିହାସିକ, ଗବେଷକ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନଙ୍କ ମନରେ ବିସ୍ମୟ ସୃଷ୍ଟି କରିଛି । ଖବରରୁ ପ୍ରକାଶ ଯେ, ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ବେଢ଼ା ଚତୁର୍ଦ୍ଦିଗରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ପ୍ରାଚୀର ନିର୍ମାଣ କାର୍ଯ୍ୟ କରାଯାଉଥିବା ଘଟଣା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ଏବେ ସ୍ଥାନୀୟ ଏଏସଆଇ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ନୀତି ଓ ଅସାଧୁ ମେଣ୍ଟ ଯୋଗୁଁ ମନ୍ଦିର ପରିସରରେ ଥିବା ପୁରୁଣା ଝାଉଁ ଓ ଅନ୍ୟ କେତେକ ଗଛ ଉଭାନ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।
ମନ୍ଦିର ପରିସରରେ ଚାଲିଥିବା ପ୍ରାଚୀର ନିର୍ମାଣ କାର୍ଯ୍ୟ ସ୍ଥଳୀର ବାହାରେ ଥିବା ପୁରୁଣା ଗଛ ଗୁଡ଼ିକ ଦୀର୍ଘ ଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରର ପରିବେଶକୁ ଉଷ୍ମତା ଦାଉରୁ ରକ୍ଷା କରିବା ସହ ପର୍ଯ୍ୟଟକ ମାନଙ୍କୁ ଛାଇ ପ୍ରଦାନ କରି ଆସୁଥିଲା । ମାତ୍ର ଏହି ପୁରୁଣା ଗଛ ଗୁଡ଼ିକ ପ୍ରାଚୀର ନିର୍ମାଣ ସ୍ଥଳୀରେ ନ ଥାଇ କାହା ଇସାରା ଓ କାହା ନିର୍ଦେଶ କ୍ରମେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ଏଏସଆଇ ଅଧିକାରୀ ନିରୋଜ କୁମାର ସିଂ ବିନା ନୋଟିସରେ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଉକ୍ତ ପୁରୁଣା ଗଛ ଗୁଡ଼ିକ କାଟି ନେବା ପାଇଁ ସୁପାରିସ କଲେ ତାହା ସ୍ଥାନୀୟ ଏଏସଆଇ ଅଧିକାରୀଙ୍କ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ସରକାରୀ ନିୟମ ଅନୁଯାୟୀ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ଗଛ ଗୁଡ଼ିକ ପ୍ରକଳ୍ପ ଅଞ୍ଚଳ ମଧ୍ୟରେ ଆସିଲେ କଟାଯାଇ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇ ଅପସନ ମାଧ୍ୟମରେ ବିକ୍ରି କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ମାତ୍ର ସ୍ଥାନୀୟ ଏଏସଆଇ ଅଧିକାରୀ ଜଣକ ସଂପୃକ୍ତ ଠିକାଦାରଙ୍କ ସହ ଦୀର୍ଘଦିନର ମଧୁଚନ୍ଦ୍ରିକା ନୀତି ଓ ଅସାଧୁ ମେଣ୍ଟର ବଶବର୍ତ୍ତୀ ହୋଇ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ପୁରୁଣା ଗଛ ଗୁଡ଼ିକ କାଟି ନେଇଯିବା ପାଇଁ ବେସରକାରୀ ଭାବେ ନିର୍ଦ୍ଦେଶ ପ୍ରଦାନ କଲେ ତାହା ବିଭାଗର ଦାୟିତ୍ୱହୀନତା ଓ ଖାମଖିଆଲି ମନୋଭାବର ପରିଚାୟକ ବହନ କରୁଥିବା କୋଣାର୍କ ଅଞ୍ଚଳବାସୀଙ୍କ ମନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ଏଏସଆଇ ଅଧିକାରୀଙ୍କ ସଂପୃକ୍ତ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ନୀତି ଯୋଗୁଁ ବିଗତ ବର୍ଷ ମାନଙ୍କରେ ସୂର୍ଯ୍ୟ ମନ୍ଦିର ପରିସରରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ସୂର୍ଯ୍ୟ ମନ୍ଦିର ପରିସରରୁ କୌଣସି କାରଣ ନ ଥାଇ ଦୀର୍ଘ ବର୍ଷର ପୁରୁଣା ଗଛ କେଉଁ ପରିସ୍ଥିତିରେ କାହା ଇଙ୍ଗିତରେ ସ୍ଥାନୀୟ ଏଏସଆଇ ଅଧିକାରୀ ଠିକାଦାର ଶଶାଙ୍କ ଶେଖର ନାୟକଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ବିଭାଗର ଅଜାଣତରେ କାଟିବା ପାଇଁ ନିର୍ଦ୍ଦେଶ ଦେଲେ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ପରିବେଶବିତ, କାର୍ଯ୍ୟରତ ସାମ୍ବାଦିକ ସମୂହ, ସଂସ୍କୃତି ବିଶାରଦ, ଐତିହାସିକ, ଗବେଷକ ଓ କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।