କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ; ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ; ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର
ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ


କଟକ(ଏନ୍‌.ଏମ୍‌.): ମଣିଷ ସଭ୍ୟତା, ସାହିତ୍ୟ ଓ ସଂସ୍କୃତିର ମୂଳ ଉତ୍ସ । ମଣିଷର ବିକାଶ ଓ ଉନ୍ନତ ଚିନ୍ତା ସମାଜକୁ ବଳିଷ୍ଠ କରାଇଥାଏ । ପୃଥିବୀର ସ୍ଥିତି ମଣିଷକୁ ନେଇ ନିର୍ଦ୍ଧାରଣ କରାଯାଇଛି । ପ୍ରକୃତି ଓ ପରିବେଶ ମଣିଷର ଅଗ୍ରଗତି ପଥରେ ସହାୟକ ହୋଇଥାଏ; ତେଣୁ ସବୁରି ମୂଳରେ ମଣିଷହିଁ ଭିତ୍ତି ବୋଲି ‘କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଆନନ୍ଦ ଆଶ୍ରମ’ ପକ୍ଷରୁ ଆୟୋଜିତ ‘ଲୋକରୁ ଶାସ୍ତ୍ର: ଦ୍ୱନ୍ଦ୍ୱ ଓ ସଂଶ୍ଲେଷ’ ଶୀର୍ଷକ ସମ୍ପାନରେ ମତପ୍ରକାଶ ପାଇଛି ।
‘କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଆନନ୍ଦ ଆଶ୍ରମ’ ମିଳିତ ଆନୁକୂଲ୍ୟରେ ଅନୁଗୋଳ ଜିଲ୍ଲା ଖମାର, କୁଟାରୀମୁଣ୍ଡା ଠାରେ ଏକଦିବସୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି ଉଦ୍‌ଘାଟନ କରି କହିଲେ ଯେ, ମହାତ୍ମା ଗାନ୍ଧିଙ୍କ ପଦର୍ଶିତ ମାର୍ଗ ମଣିଷକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଗୋଟିଏ ଶ୍ରେଷ୍ଠ ମାଧ୍ୟମ । ଅହିଂସା ନୀତିକୁ ଆପଣାଇଲେ ସମାଜ ସୁନ୍ଦର ହୋଇପାରିବ । ବିଶିଷ୍ଟ ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ପ୍ରବନ୍ଧ ଉପସ୍ଥାପନ କରି ମଣିଷର ସ୍ଥିତି, ଅବସ୍ଥିତି ଓ ଭବିଷ୍ୟତ ତା’ର କର୍ମ ଏବଂ ଦୂରଦୃଷ୍ଟି ଉପରେ ନିର୍ଭରକରେ ବୋଲି କହିଥିଲେ । ଏଥିରେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ସଭାପତିତ୍ୱ କରି, ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ମଣିଷକୁ ନେଇ ସାହିତ୍ୟ ଅକାଦେମିର ଏପରି ଆଲୋଚନା ସମୟପୋଯୋଗୀ ବୋଲି କହିଥିଲେ । ବିଶିଷ୍ଟ ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରଥମ ଅଧିବେଶନରେ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ରଥ ଓ ସୁଧୀର କୁମାର ସାହୁ ପ୍ରବନ୍ଧପାଠ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ସଭାପତିତ୍ୱ କରିଥିଲେ ଓ ଧନେଶ୍ୱର ସାହୁ ଏବଂ ରମାକାନ୍ତ ସାମନ୍ତରାୟ ପ୍ରବନ୍ଧପାଠ କରିଥିଲେ । ପ୍ରାରମ୍ଭରେ ସାହିତ୍ୟ ଅକାଦେମି ପୂର୍ବାଞ୍ଚଳ ଶାଖା ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣ ଦେଇଥିଲେ । ଡକ୍ଟର ଶାନ୍ତନୁ ସର ଅତିଥି ପରିଚୟ ପ୍ରଦାନ କରଥିଲାବେଳେ ଆନନ୍ଦ ଆଶ୍ରମର ଅଧ୍ୟକ୍ଷ ଶିବ ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆନନ୍ଦ ଆଶ୍ରମର ସମ୍ପାଦକ ଡକ୍ଟର ସାବିତ୍ରୀ ଦାଶ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ଣରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ସଭାପତିତ୍ୱରେ ସାହିତ୍ୟ ଅକାଦେମିର ‘ମୁଲାକାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ ଲେଖକ ଅବକାଶ ପ୍ରଧାନ, ବିଭୂ ହୋତା, ସିପୁନ୍ ଜେନା ପ୍ରମୁଖ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ