କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ

କଟକ (ଏନ୍.ଏମ୍.): କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଚାଲିଥିବାବେଳେ କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକର ବିଭିନ୍ନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମେତ କଟକ ରେଳଷ୍ଟେସନ, ବୀମା ଓ ବ୍ୟାଙ୍କ ସମ୍ମୁଖରେ ହରତାଳ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଗୋଟିଏ ପରେ ଗୋଟିଏ ଜନମାରଣନୀତି ପ୍ରଣୟନ କରିଚାଲିଛି । ଆକାଶ ଛୁଆଁ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି, ଶ୍ରମ ଆଇନ ସଂଶୋଧନ ଶ୍ରମିକ କର୍ମଚାରୀ ଛଟେଇ, ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ, ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ନୂତନ ଜାତୀୟ ଶିକ୍ଷାନୀତି, ଶ୍ରମିକ କର୍ମଚାରୀ ଛଟେଇ, ସରକାରୀ ଉଦ୍ଦ୍ୟୋଗକୁ ପୁଞ୍ଜି ପ୍ରତ୍ୟାହାର ବିରୁଦ୍ଧରେ ଓ ସ୍କିମ୍ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ସଂଗଠିତ ହୋଇଛି । ସର୍ବଭାରତୀୟ ସାଧାରଣ ଧର୍ମଘଟର ଅଂଶ ବିଶେଷ ଭାବେ ଆଜି ପ୍ରତିବାଦ ସଭା, ପିକେଟିଂ ହୋଇଥିଲା । କଟକରେ ଏଆଇଟିୟୁସି, ସିଆଇଟିୟୁ, ଏସୟୁସିଆଇ(ସି) ପ୍ରମୁଖ ସଂଗଠନ ପକ୍ଷରୁ ଏହି ଧର୍ମଘଟ ଜୋରଦାର କରାଯାଇଥିଲା । ଏହି ଅବସରରେ ଏସ୍ୟୁସିଆଇ(ସି) ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ କଟକ ଜିଲ୍ଲା ସଂପାଦକ କମ୍ରେଡ ବିଶ୍ୱାବସୁ ଦାସଙ୍କ ସଭାପତିତ୍ୱ କରିଥିବାବେଳେ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ଖଗେଶ୍ୱର ସେଠୀ, ବସନ୍ତ ନାୟକ, ବବି ବଳବନ୍ତରାୟ, ଭାଗ୍ୟରବି ଦାସ, ବିନୋଦ ସେଠୀ, ସିଦ୍ଧାର୍ଥ ରଥ, ତରୁଣ ସେନ ନାୟକ, ପାଭେଲ ପ୍ରିୟଦର୍ଶନ, ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ଦିପକ ଦାସ, ଅନ୍ୟମାନଙ୍କ ମଧ୍ୟରେ ଇଶା ଧର,ପ୍ରତାପ ମିଶ୍ର, ସୁଭସ୍ମିତା ସାହୁ, ଶିବାନୀ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ କର୍ମଚାରୀ ବିରୋଧି, ଜନବିରୋଧି, ଛାତ୍ର ବିରୋଧି ପଦକ୍ଷେପ ବିରୁଦ୍ଧରେ ଜନସାଧାରଣ ଆନ୍ଦୋଳନରେ ସାମିଲ ହେବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ସେହିଭଳି ଏଆଇଟିୟୁସି ପକ୍ଷରୁ କାର୍ଯ୍ୟ ସମ୍ପାଦକ କିଶୋର ଜେନା, ଜିଲ୍ଲା ଉପସଭାପତି ଅମରେନ୍ଦୁ ମହାନ୍ତି, ସମ୍ପାଦକ ବିନୋଦ ବେହେରା, ସାନନ୍ଦ ସେଠୀ, ଭରତ ବେହେରା, ବନମାଳୀ ବେହେରା, ବରିଷ୍ଠ ନେତା ଭ୍ରମରବର ସାହୁ, ଅଙ୍ଗନବାଡ଼ି କର୍ମୀ ସଂଘ ନେତ୍ରୀ ବାସନ୍ତୀ ସ୍ୱାଇଁ, କବିତା ରାଉଳ, ସ୍ମୃତିରଞ୍ଜନ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।