କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି

#ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଏନ୍.ଏମ୍.): କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ଲଲିପପ୍ ଭଣ୍ଡାଉଛି । ଗୋଟିଏ ପରେ ଗୋଟିଏ ଯୋଜନା ଯୋଗାଇଦେବା ଭଳି ଶସ୍ତା ଭାଷଣ ଦେଉଥିବାବେଳେ ରାଜ୍ୟର ଉନ୍ନତି କେବଳ ଭାଷଣରେ ଆବଦ୍ଧ ହୋଇ ରହି ଯାଇଛି । ବିଶେଷ କରି ରାଜ୍ୟରେ ରେଳ ପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସେବାରେ ଆସୁନଥିବା ଦୁର୍ଭାଗ୍ୟ ଜନକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦୀର୍ଘ ୮୨କିଲୋମିଟର ହରିଦାସପୁର-ପାରାଦ୍ୱୀପ ରେଳପଥରେ ଗତ ୨୦୨୦ ମସିହା ସେପ୍ଟେମ୍ବର ୨୩ତାରିଖରୁ ମାଲବାହୀ ରେଳ ଗମନାଗମନ କରୁଥିଲେ ମଧ୍ୟ ପାସଞ୍ଜର ଟ୍ରେନ ଏଯାଏ ଚଳାଚଳ କରି ପାରିଲା ନାହିଁ । ଫଳରେ କେନ୍ଦ୍ରାପଡ଼ାକୁ ଆଜି ପର୍ଯ୍ୟନ୍ତ ଲୋକେ ଟ୍ରେନଯାତ୍ରା କରିବାରୁ ବଞ୍ଚିତ ରହିଛନ୍ତି । ଏ ନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ଚଳାଚଳ ନକରିବା ପରିତାପର ବିଷୟ ବୋଲି ବିଜେଡି ନେତାମାନେ ଅଭିଯୋଗ ଆଣିଛନ୍ତି । ପୁନଶ୍ଚ ଏହି ଲାଇନରେ ନିୟମିତ ପ୍ରାୟ ୨୦ ରେକ୍ ମାଲବାହୀ ଟ୍ରେନ ଚଳାଚଳ କରିବା ସହିତ ଭାରତ ସରକାରଙ୍କୁ କୋଟି କୋଟି ରାଜସ୍ୱ ପ୍ରଦାନ କରୁଛି । ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ପରୀକ୍ଷା ମୂଳକ ଚଳାଚଳ ସମାପ୍ତ ହୋଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ଲାଇନରେ ଯାତ୍ରୀବାହୀ ରେଳ ଚଳାଚଳକୁ ଆପତ୍ତି ବିହୀନ ପ୍ରମାଣପତ୍ର (ଏନଓସି) ପ୍ରଦାନ କରାଯାଇଥିବାବେଳେ କୋଲକତା ସ୍ଥିତ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିଶନର ମଧ୍ୟ ଏହି ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳକୁ ସବୁଜ ସଙ୍କେତ ଦେଇଛନ୍ତି । ସମସ୍ତ ଔପଚାରିକତା ସମାପ୍ତ ହୋଇଥିବାବେଳେ ଯାତ୍ରୀବାହୀ ଟ୍ରେନ୍ କାହିଁକି ଏହି ଲାଇନରେ ଚଳାଚଳ ଆରମ୍ଭ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେଳଲାଇନର ନିର୍ମାଣ କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି ଏବଂ ଲିଖିତ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲିୱତ ଭାବେ ମଧ୍ୟ ଅନୁରୋଧ କରିଥିଲେ । ଏହି ରେଳ ଲାଇନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ଯାତ୍ରୀବାହୀ ଟ୍ରେନ ଚଳାଇବାରେ କେନ୍ଦ୍ରର ଟାଳଟୁଳ ନୀତି ଅତ୍ୟନ୍ତ ପରିତାପର ବିଷୟ । ଏହି ରେଳପଥରେ ଥିବା ସମସ୍ତ ୯ଟି ଷ୍ଟେସନ୍ର ନିର୍ମାଣ ସମାପ୍ତ ହେବା ସହିତ କାର୍ଯ୍ୟକ୍ଷମ ହୋଇଛି । ସମ୍ପ୍ରତି ରେଳ ହେଉଛି ଆମ ଦେଶର ଜୀବନ ରେଖା ତେଣୁ ଏହି ଲାଇନରେ ରେଳ ଚଳାଚଳ କଲେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ସମ୍ପ୍ରଦାୟର ଅର୍ଥନୀତିରେ ଉନ୍ନତି ଘଟିବ ବୋଲି କୁହାଯାଇଛି । ୨୦୨୦ରେ କେନ୍ଦ୍ରପଡାର ସାଧାରଣ ଜନତାଙ୍କ ପକ୍ଷରୁ ରେଳରୋକ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଇଷ୍ଟକୋଷ୍ଟ ଜୋନ୍ର ଜେନେରାଲ ମ୍ୟାନେଜରଙ୍କୁ ଭେଟି ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ଦୃଢଦାବି କରିଥିଲେ । ଆଜି ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ବିଜେଡି ତରଫରୁ ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ଯ୍ୟନ୍ତ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଦାବିରେ ରେଳରୋକ ହେଉଛି ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତଥିଲେ ।