କେନ୍ଦୁଝରରେ ଅଘଟଣ: କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୩ ଛାତ୍ରଛାତ୍ରୀ ମୃତ
କେନ୍ଦୁଝର(ଏନ୍.ଏମ୍.): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ନିଶ୍ଚିତପୁର ଜାଲିରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଏକ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀ ଶୋଇଥିବାବେଳେ ସକାଳୁ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି । ଆଉ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତ ଛାତ୍ରଛାତ୍ରୀମାନେ ହେଉଛନ୍ତି- ରାଜା ନାଏକ (୧୨), ସ୍ନେହାଶ୍ରୀ ନାଏକ (୧୦) ଓ ଏଲିନା ନାଏକ (୭) । ସେହିପରି ଗୁରୁତର ଥିବା ଛାତ୍ରଙ୍କ ନାଁ ଆକାଶ ନାଏକ (୧୨) ବୋଲି ଜଣାପଡ଼ିଛି । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିବା ଜଣାପଡ଼ିଛି । କେଉଁ ସାପ କାମୁଡ଼ିଛି ତାହା ଜଣାପଡ଼ିନଥିଲେ ମଧ୍ୟ ଚିତି ସାପ କାମୁଡ଼ିଥିବା କୁହାଯାଉଛି । ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସକାଳ ସାଢ଼େ ୭ଟାରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣାର ତଦନ୍ତ କରିବା ପାଇଁ କେନ୍ଦୁଝର ଡିଇଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।