କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଯୋଜନା ମାଳ ହେଲେ କାମ ଦୁର୍ବଳ ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ କଟକ ସହରରେ ଟ୍ରାଫିକ ସମସ୍ୟାର ସୁଧାର ପାଇଁ ବୁଲା ଗୋରୁ ଓ ବୁଲା କୁକୁରଙ୍କୁ ଟାର୍ଗେଟ କରାଯାଇଥିଲା । ଗୋରୁମାନଙ୍କୁ ଧରି କାଞ୍ଜିଆହୁଦାରେ ଛାଡ଼ିବା ଏବଂ ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ କରି ସେମାନଙ୍କ ସଂଖ୍ୟା ସୀମିତ ରଖିବା ପାଇଁ ଯେଉଁ ଯୋଜନା କରାଯାଇଥିଲା ତାହାର ଫାଇଲର ନାଲିଫିତା ତଳେ ଚାପି ହୋଇ ରହି ଯାଇଛି । ସମ୍ପ୍ରତି କଟକ ସହରରେ ବୁଲାଗୋରୁଙ୍କ ମଧ୍ୟରେ ବିଶେଷ କରି ଗାଈମାନଙ୍କୁ ସ୍କ୍ୱାର୍ଡ଼ ଆଗଭର ହୋଇ ଧରୁଥିବାବେଳେ ଷଣ୍ଢମାନଙ୍କୁ ଛାଡ଼ି ଦିଆଯାଉଛି । ଫଳରେ ଏବେ ଗାଈ ନୁହେଁ ବରଂ ଷଣ୍ଢ ଉପଦ୍ରବରେ ଜନସାଧାରଣ ଅତିଷ୍ଟ ହୋଇ ପଡ଼ିଲେଣି । ଯୁଆଡେ ଦେଖିବ ମାଳମାଳ ଷଣ୍ଢ ବୁଲୁଥିବାବେଳେ ପରସ୍ପର ମଧ୍ୟରେ ଲଢ଼େଇ କରି ବହୁ ବାଇକ, କାର ଆଦି ଭାଙ୍ଗୁଥିବା ବେଳେ ଦୁର୍ଘଟଣାର ମୁଖ୍ୟକାରଣ ହେଉଛନ୍ତି । ତେବେ ଏ ନେଇ ସିଏମସି କୌଣସି ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରିଛି ।
ସେହିଭଳି କଟକ ମହାନଗର ନିଗମ ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ର ଆଇବି ରୋଡ଼ ଏବଂ ଫକିରପୁର ଅଞ୍ଚଳରେ ମାଳମାଳ ଷଣ୍ଢ ବୁଲୁଥିବାବେଳେ ଗୋଟିଏ ପାଗଳା ଷଣ୍ଢର ଆତଙ୍କ ସୃଷ୍ଟି କରିଛି । ଯାହା ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସିଏମସିକୁ ବାରମ୍ବାର ଜଣାଇବା ସତ୍ତ୍ୱେ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ଧରି ଏହି ପାଗଳା ଷଣ୍ଢଟି ଫକୀରପୁର ବଉଳେଇ ସାହି ଓ ପଣ୍ଡା ସାହିରେ ଉତ୍ପାତ କରୁଛି । ଷଣ୍ଢଟି ଆଗରୁ ଆସୁଥିବା ଦେଖି ଲୋକମାନେ ସେହି ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି । ଏହି ପାଗଳା ଷଣ୍ଢଟି ଯାହାକୁ ଦେଖିବ ତାକୁ ଗୋଡାଇ ମାରିବା ଥୟ । ତେବେ ଗତକାଲି ବିଳମ୍ବିତ ରାତିରେ ବଉଳେଇ ସାହିର କରୁଣାକର ଦଳାଇ ନାମକ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ହଠାତ ଷଣ୍ଢଟି ପଛପଟୁ ଆସି ଶ୍ରୀ ଦଳାଇଙ୍କ ଉପରକୁ ଆକ୍ରମଣ କରିଥିଲା । ତା’ ଶିଙ୍ଘରେ ଟେକି କଚି ଦେଇଥିବା ଯୋଗୁଁ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଛି । ତେବେ ଏହି ଷଣ୍ଢଟି ପ୍ରାୟ ୧୦ରୁ ଅଧିକ ବ୍ୟକ୍ତଙ୍କୁ ଆହତ କରି ସାରିଲାଣି । ଏନେଇ ସ୍ଥାନୀୟ ଲୋକେ ଶ୍ରୀ ଦଳାଇଙ୍କୁ କଟକ ବଡ ମେଡିକାଲକୁ ଭର୍ତ୍ତି କରାଇଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଏଠାରେ ବୁଲା ଗୋରୁ ମାନଙ୍କୁ ଧରିବା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ଗାଡି ବୁଲା ଗାଈ ଗୋରୁଙ୍କୁ ଧରିନେଇ ଯାଇଥାଏ । ଆଉ ଗାଈ ମାଲିକ ଗାଈଟିକୁ ଖୋଜି ସିଏମସି ଗାଡ଼ି ଧରିନେଇଥିବା ଜାଣିବା ପରେ କାଞ୍ଜିଆହୁଦାକୁ ଯାଇ ସେଠାରେ ଜୋରିମାନା ଦେଇ ନିଜ ଗାଇକୁ ଆଣିବାକୁ ପଡିଥାଏ । ମାତ୍ର ଷଣ୍ଢମାନଙ୍କୁ ଏଠାରୁ ନେବା କିମ୍ବା ଅନ୍ୟତ୍ର ସ୍ଥାନାନ୍ତର ନକରିବା ଯୋଗୁଁ ରାସ୍ତା ଉପରେ ଷଣ୍ଢମାନେ ନିର୍ବିଘ୍ନରେ ବିଚରଣ କରିବା ଯୋଗୁଁ ଦୁର୍ଘଟଣା ହେଉଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସେହିଭଳି ଗତ ନଭେମ୍ବର ମାସରେ ୩ଗୋଟି ମାରଣା ଷଣ୍ଢ କିଶୋର କ୍ଲବ ଛାତ ଉପରେ ଚଢି ଉପ୍ତାତ କରୁଥିବା ଦେଖି ଅଗ୍ନିଶମ ବାହିନୀ ଦୁଇ ଗୋଟି ଷଣ୍ଡକୁ କାବୁ କରି ତଳକୁ ଆଣିଥିଲେ । ହେଲେ ଆଉ ଗୋଟିଏ ଷଣ୍ଢ ଛାତ ଉପରୁ ଏକ କାର ଉପରକୁ ଡେଇଁ ପଡ଼ିବାରୁ ତଳେ ଥିବା କାରଟି ଭାଙ୍ଗି ଚୁରମାର ହୋଇ ଯାଇଥିଲା । ତେଣୁ ଏହି ଅଞ୍ଚଳରୁ ସିଏମସି ତୁରନ୍ତ ଷଣ୍ଢମାନଙ୍କୁ ଅନ୍ୟତ୍ର ହଟାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ