କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା  

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା  

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା

News by Biswajit dalai (salepur)

ସାଲେପୁର(ଏନ୍‌.ଏମ୍‌.): ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ସରକାର ସର୍ବଦା ଚେଷ୍ଟିତ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷୀମାନଙ୍କୁ ରାଜ୍ୟ ସରକାର ସହାୟତା ନିମନ୍ତେ ଅର୍ଥରାଶି ଯୋଗାଇ ଦେଉଥିଲେ ମଧ୍ୟ ଜମିକୁ ପାଣି ନଥିବା ଯୋଗୁଁ ଚାଷ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଫଳରେ ସରକାର ଓ ଚାଷୀମାନଙ୍କ ମଧ୍ୟରେ ଦୂରତ୍ୱ ଦୂରେଇ ଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଗୋଟିଏ ପଟେ ରାଜ୍ୟ ସରକାର ଚାଷୀଙ୍କ ବିକାଶ ନିମନ୍ତେ ଅନେକ ଯୋଜନା ପ୍ରଚଳନ କରୁଥିଲେ ମଧ୍ୟ ଜଳସେଚନ ବିଭାଗର ମନମୁଖୀ କାର୍ଯ୍ୟ ଚାଷୀମାନଙ୍କୁ ବିପର୍ଯ୍ୟୟ ଆଡକୁ ଟାଣି ନେଉଛି । ଏଭଳି ଅଭିଯୋଗ କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳରେ ଉଠିଛି । ଦୀର୍ଘ ଦିନ ଧରି କେନାଲରେ ପାଣି ନଆସିବାରୁ ଚାଷ ଜମି ଫାଟି ଗଲାଣି । ଫସଲ ହଳଦିଆ ପଡ଼ିଗଲାଣି । ତଥାପି ଜଳସେଚନ ବିଭାଗ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଫଳରେ ଚାଷୀ ଅସନ୍ତୋଷ ତିବ୍ରତର ହେବା ସହ ଆଜି ଶତାଧିକ ଚାଷୀ କେନ୍ଦୁପାଟଣା ଇରିଗେସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦୁପଟଣା ଇରିଗେସନ ଉପଖଣ୍ଡ ଅଧିନ ସାଲେପୁର ୫ ନମ୍ବର କେନାଲରେ ପାଣି ନଆସିବାରୁ ସିଢ଼ୋ , ଛୋଟିନଟରା, କରମୁଆଁ, ଛୋଟିନଟରା ଓ କାଳିଦହି ଅଞ୍ଚଳରେ ଧାନ କ୍ଷେତ ଶୁଖିଲା ପଡ଼ିବା ସହ ମାଟି ଫାଟିଯାଉଛି । ଫଳରେ ପ୍ରାୟ ୨ଶହ ଏକରରୁ ଅଧିକ ଜମିରେ ଚାଷ ନଷ୍ଟ ହେବାକୁ ବସିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟ କେନାଲରେ ଭରା ପାଣି ଥିଲେ ମଧ୍ୟ ଶାଖା କେନାଲରେ ପାଣି ଆସୁନାହିଁ । ଏ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି । ତେବେ ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ବିଭାଗୀୟ ଯନ୍ତ୍ରୀ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ସେମାନେ ଧରଣାରୁ ଉଠିଥିଲେ । ତେବେ ପ୍ରତିଶ୍ରୁତି ମୁତାବକ କେନାଲରେ ପାଣି ନଗଲେ ସେମାନେ ଏଥର ରାଜରାସ୍ତାରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ