କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ


ଭୁବନେଶ୍ୱର(ଏନ୍‌.ଏମ୍‌.): କିଶୋରୀ ବାଳିକାମାନଙ୍କ ସାମଗ୍ରିକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ସେବାରେ ଯୋଡ଼ି ହୋଇଥିବା କିଶୋରୀବାଳିକାଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିଡ଼ିପିଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ୪ ହଜାରରୁ ଊର୍ଦ୍ଧ୍ୱ କିଶୋରକିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୟୁନିସେଫ୍ ଏବଂ ୟୁଏନ୍‌ଏଫ୍ପିଏର ସହଯୋଗରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମରେ ଗତ ଏକ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କିଶୋରୀ ବାଳିକା ସାମିଲ ହୋଇଥିଲେ । ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ୬୦୦ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତ୍ୟେକ କିଶୋରୀ ଗ୍ରୁପରେ ସଚେତନତା ପାଇଁ ୧ଲକ୍ଷରୁ ଊର୍ଦ୍ଧ୍ୱ ‘ସଖୀ-ସହେଲି’ଙ୍କୁ ଚିହ୍ନଟ କରାଯାଇଛି । ଡିଜିଟାଲ୍ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ୨୦୦ ହ୍ୱାଟସ୍‌ଆପ୍ ଗ୍ରୁପ୍ ଗଠନ କରାଯାଇଛି । ମୁଖ୍ୟତଃ ବାଲ୍ୟବିବାହ ରୋକିବା, ବାଳିକାମାନଙ୍କୁ ନିର୍ଯାତନା ତଥା ଘରୋଇ ହିଂସାରୁ ସୁରକ୍ଷା ଦେବା, ଡ୍ରପ୍ ଆଉଟ୍ ହ୍ରାସ, କିଶୋରୀମାନଙ୍କ ପୁଷ୍ଟିସାଧନ, ସ୍ୱଚ୍ଛତା ଏବଂ ଶାରୀରିକ ତଥା ମାନସିକ ପ୍ରସଙ୍ଗଗୁଡ଼ିକରେ ସଚେତନତା ସୃଷ୍ଟି ପାଇଁ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାମିଲ ହେବା ପରେ ତୃଣମୂଳସ୍ତରରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ରୂପାନ୍ତରଣ ଦେଖିବାକୁ ମିଳିଛି । ଏହି ସଫଳତାକୁ ଆହୁରି ଉଚ୍ଚତର ପର୍ଯ୍ୟାୟକୁ ନେବା ନିମନ୍ତେ ଏଣିକି କିଶୋରବାଳକମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ ଏବଂ ସେମାନଙ୍କ ମଧ୍ୟରୁ ‘ସଖା-ବନ୍ଧୁ’ମାନଙ୍କୁ ନିୟୋଜିତ କରାଯିବ । ଏହି କ୍ରମରେ ଆଜିଠାରୁ ‘ଅଦ୍ୱିକା’ରେ ଯୋଡ଼ି ହୋଇଛି ଏକ ନୂତନ ଫର୍ଦ୍ଦ ‘ସଖା-ବନ୍ଧୁ’ । ଯେଉଁମାନେ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ସବୁସ୍ତରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ସେହି ସଖୀ-ସହେଲି, ସଖା-ବନ୍ଧୁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ପ୍ରତ୍ୟେକ ଝିଅ ଆମ ପାଇଁ ଅଦ୍ୱିତୀୟ । ଝିଅମାନଙ୍କୁ ସବୁଦୃଷ୍ଟିରୁ ସଶକ୍ତ କରି ଗଢ଼ିତୋଳିବା ନିମନ୍ତେ ଆରମ୍ଭ କରାଯାଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆମ ରାଜ୍ୟର ଝିଅମାନଙ୍କୁ ସଶକ୍ତ ଏବଂ ସମର୍ଥ କରିବା ଦିଗରେ ଏକ ବଳିଷ୍ଠ ପ୍ରୟାସ । ‘ସଖା-ବନ୍ଧୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ତା’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ସଚେତନତା ସୃଷ୍ଟି ଦିଗରେ କେବଳ କିଶୋରୀବାଳିକା ନୁହେଁ ବାଳକମାନଙ୍କର ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ସଚେତନ ହେଲେ ଅନେକଗୁଡ଼ିଏ ସାମାଜିକ ପରିବର୍ତ୍ତନ ଆଣିବାରେ ସେମାନେ ମଧ୍ୟ କ୍ରିୟାଶୀଳ ଭୂମିକା ନିର୍ବାହ କରିପାରିବେ । କେବଳ ସେତିକି ନୁହେଁ ଅଙ୍ଗନବାଡ଼ିର ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ପୁରୁଷମାନଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ । କିଶୋରମାନଙ୍କୁ ମଧ୍ୟ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ଭାବେ ନିୟୋଜିତ କରିବାରେ ‘ସଖା-ବନ୍ଧୁ’ କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହେବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ । ‘ଅଦ୍ୱିକା’ କାର୍ଯ୍ୟକ୍ରମର ସଫଳତା ଏବଂ ଉପଲବ୍ଧି ଏବଂ ଆଗାମୀ ଦିନର କାର୍ଯ୍ୟଖସଡ଼ା ସମ୍ପର୍କରେ ନିଜ ସ୍ୱାଗତ ଭାଷଣରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ୍ ବିସ୍ତୃତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌, ଓଡ଼ିଶାର ଚିଫ ଫିଲଡ୍ ଅଫିସ୍‌, ମୋନିକା ନିଲେସନ୍ ଏବଂ ୟୁଏନ୍‌ଏଫ୍ପିଏର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ମହମ୍ମଦ ନଦିମ୍ ନୁର୍ କିଶୋରୀମାନଙ୍କ ସାମୂହିକ କଲ୍ୟାଣ ପାଇଁ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସଗୁଡ଼ିକ ବେଶ୍ ଫଳପ୍ରଦ ହୋଇଛି ବୋଲି କହିଥିଲେ । କିଶୋରକିଶୋରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀର ପ୍ରମୁଖ ଆକର୍ଷଣ ଥିଲେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ଏବଂ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାସ । ସେମାନେ ନିଜ ସଂଘର୍ଷ ଏବଂ ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କିଶୋରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । କାର୍ଯ୍ୟକ୍ରରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଭାଗର ଉପଦେଷ୍ଟା ସୁଲତା ଦେଓଙ୍କ ସମେତ ସିଡ଼ିପିଓ, ଡିସିପିଓ, ଅଙ୍ଗନବାଡ଼ି କର୍ମୀ ଏବଂ ୪ ହଜାରରୁ ଊର୍ଦ୍ଧ୍ୱ କିଶୋର କିଶୋରୀ ଯୋଗଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ