ଭୁବନେଶ୍ୱରରେ କିନ୍ନର କଲ୍ୟାଣ ନେଇ ପୂର୍ବାଞ୍ଚଳ କର୍ମଶାଳା ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ
କିନ୍ନରମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ : ମନ୍ତ୍ରୀ
ଭୁବନେଶ୍ୱର(ଏନ୍.ଏମ୍.): କିନ୍ନରମାନଙ୍କ ଜବୀନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଆଜି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ, ନିତି ଆୟୋଗ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ମିଳିିତ ଆନୁକୂଲ୍ୟରେ ଅନୁଷ୍ଠିତ କିନ୍ନର କଲ୍ୟାଣ ସଂପର୍କିତ ପୂର୍ବାଞ୍ଚଳ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି ।
ଗତ ଫେବୃଆରୀ ମାସରେ ଭାରତ ସରକାର ଆରମ୍ଭ କରିଥିବା ‘ସ୍ମାଇଲ୍’ କାର୍ଯ୍ୟକ୍ରମ, କିନ୍ନର କଲ୍ୟାଣ ପାଇଁ ପ୍ରାୟୋଜିତ ଜାତୀୟ ପୋର୍ଟାଲ ଓ ସଂପୃକ୍ତ ଆଇନଗୁଡ଼ିକର ସଫଳ ଅନୁପାଳନ ନିମନ୍ତେ ମତ, ପ୍ରସ୍ତାବ ଓ ପରାମର୍ଶ ଆହରଣ ସକାଶେ ଏହି ପୂର୍ବାଞ୍ଚଳ କର୍ମଶାଳା ଅନୁଷ୍ଠିତ ହୋଇଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲାରେ ସେମାନଙ୍କ ପାଇଁ ସୁରକ୍ଷା ପ୍ରକୋଷ୍ଠ ଖୋଲାଯିବା, ୮୬ରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯିବା, ଜାତୀୟ ପୋର୍ଟାଲରେ ପ୍ରାୟ ୧୬୦୦ କିନ୍ନର ପଞ୍ଜିକୃତ ହୋଇ ପ୍ରମାଣପତ୍ର ପାଇବା, ରାଜ୍ୟରେ କିନ୍ନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେବା, ସେମାନଙ୍କୁ ସ୍ୱଚ୍ଛସାଥୀ ଭାବେ ନିଯୁକ୍ତି ଦିଆଯିବା ଓ ପାର୍କିଂ ଫି ଏବଂ ଅନ୍ୟାନ୍ୟ ଟିକସ ସଂଗ୍ରହରେ ନିୟୋଜିତ କରାଯିବା ପରି ପଦକ୍ଷେପଗୁଡ଼ିକ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ପ୍ରତିଜିଲ୍ଲାରେ କିନ୍ନରମାନଙ୍କ ନିମନ୍ତେ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।
ଏହି ପୂର୍ବାଞ୍ଚଳ କର୍ମଶାଳାରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ରାଜ୍ୟ ଓ ଆଣ୍ଡାମାନ-ନିକୋବର କେନ୍ଦ୍ରଶାସିତ ଅଞ୍ଚଳରୁ କିନ୍ନର ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ସମେତ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଶ୍ରମ ଓ ନିଯୁକ୍ତି, ଗୃହନିର୍ମାଣ, ଦକ୍ଷତା ବିକାଶ, ସମାଜ କଲ୍ୟାଣ, ଜନଜାତି ବିକାଶ ପରି ବିଭାଗଗୁଡ଼ିକର ପଦାଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ବକ୍ତବ୍ୟ ରଖି ରାଜ୍ୟରେ କିନ୍ନରମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତାଗୁଡ଼ିକ ବାବଦରେ ସୂଚନା ଦେଇଥିଲେ । ଯୋଜନା କମିଶନଙ୍କ ସାମାଜିକ ନ୍ୟାୟ ପ୍ରଭାଗର ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା ଜି.ବି. ପଣ୍ଡା, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଜାତୀୟ ପ୍ରବନ୍ଧକ ଡକ୍ଟର ଚିରଞ୍ଜିବ ଭଟ୍ଟାଚାର୍ଯ୍ୟ ବକ୍ତବ୍ୟ ରଖିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ । ଜାତିସଂଘ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ଆଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସହକାରୀ ନିର୍ଦ୍ଦେଶକ ଶାନ୍ତନୁ ଦୀକ୍ଷିତ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପ ତଥା ନୂତନ କରି ଆରମ୍ଭ କରାଯାଇଥିବା ‘ସ୍ମାଇଲ୍’ କାର୍ଯ୍ୟକ୍ରମ (ସୀମାନ୍ତରିତ ଲୋକଙ୍କ ଜୀବିକା ଓ ଉଦ୍ୟମିତା ପାଇଁ ସହାୟତା) ଏବଂ ଜାତୀୟ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ । ସାରା ଦିନ ଧରି କିନ୍ନର କଲ୍ୟାଣ ଓ ସମ୍ପର୍କିତ କ୍ଷେତ୍ରଗୁଡ଼ିକ ଉପରେ ଦଳଗତ ଆଲୋଚନା ହୋଇଥିଲା । ନିତି ଆୟୋଗର ସହକାରୀ ପରାମର୍ଶଦାତା ଡକ୍ଟର ମୁନିରାଜୁ ଏସ୍. ବି. ଦଳଗତ ଆଲୋଚନାଗୁଡ଼ିକର ନେତୃତ୍ୱ ନେଇଥିଲେ । ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ଆବାସ, ଜୀବନଜୀବିକା, ସମତା ଓ ନ୍ୟାୟ ପ୍ରସଙ୍ଗ ନେଇ ମତ ବିନିମୟ ହୋଇଥିଲା । ଜାତିସଂଘ କାର୍ଯ୍ୟକ୍ରମର ରୂପାୟନ ସହଯୋଗୀ ସଂଗଠନ ହମସଫର ଟ୍ରଷ୍ଟର କର୍ମକର୍ତ୍ତାମାନେ ମଧ୍ୟ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।