କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ଏଜେନ୍ସି): କରୋନା ଟିକା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି । ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି । ସେହିପରି ଟିକା କମ୍ପାନୀ ପାଖରୁ କେନ୍ଦ୍ର ଓ ରାଜ୍ୟ ଭିନ୍ନ ଭିନ୍ନ ଦରରେ କିଣୁଛନ୍ତି । ଏଭଳି ପାତର ଅନ୍ତରକୁ ନେଇ ଏବେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି ।
ସେହିପରି ସର୍ବୋଚ୍ଚ ନ୍ୟାୟାଳୟ କୋୱିନ ଆପରେ ପଞ୍ଜିକରଣ ଅନିର୍ବାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ କରିଛନ୍ତି । ଗ୍ରାମାଞ୍ଚଳରେ ରହୁଥିବା ଲୋକ କିମ୍ୱା ପ୍ରବାସୀ ଶ୍ରମିକ କୋୱିନ ଆପ ଜରିଆରେ ଟିକା ବୁକିଂ କରିପାରିବେ ବୋଲି ସରକାର ସୁନିଶ୍ଚିତ କରିପାରିବେ କି ପ୍ରଶ୍ନ କରିଛନ୍ତି । ତେବେ ସରକାର ଏ ନେଇ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମ୍ପୂର୍ଣ୍ଣ ହେବ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ନ୍ୟାୟମୂର୍ତ୍ତି ଡି. ୱାଇ ଚନ୍ଦ୍ରଚୁଡ, ଏଲ.ଏନ. ରାଓ ଏବଂ ଏସ ରବୀନ୍ଦ୍ର ଭଟ୍ଟ ଶୁଣାଣି କରିବା ବେଳେ କହିଛନ୍ତି ଯେ, କେନ୍ଦ୍ର ସରକାର ୪୫ରୁ ଅଧିକ ବୟସ୍କଙ୍କ ପାଇଁ ରାଜ୍ୟକୁ ୧୦୦ ପ୍ରତିଶତ ଟିକା ଦେଉଛନ୍ତି ମାତ୍ର ୧୮ରୁ ୪୪ବର୍ଷ ବର୍ଗ ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା । କିନ୍ତୁ କରୋନା ଦ୍ୱିତୀୟ ଲହରରେ ୧୮ରୁ ୪୪ ବର୍ଗ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ସଂକ୍ରମିତ ଓ ମୃତ୍ୟୁ ଘଟିଛି ବୋଲି ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି । ଏପରି ସ୍ଥିତିରେ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ମାତ୍ର ୫୦ ପ୍ରତିଶତ କେଉଁ ଆଧାରରେ ଟିକା ଦେଉଛନ୍ତି ବୋଲି ତିନି ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଯେ ବିଦେଶରୁ କୋଭିଡ ଟିକା କିଣିବା ପାଇଁ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରୁଛନ୍ତି, ଏହା ସରକାରଙ୍କ ନୀତି କି? କେନ୍ଦ୍ର ଏହାର ଜବାବରେ କହିଛନ୍ତି ଯେ, ସମଗ୍ର ଜନସଂଖ୍ୟାର ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୨୧ ଶେଷ ସୁଦ୍ଧା ଟିକା ଦିଆଯିବ । ଫାଇଜର ଭଳି କମ୍ପାନୀ ସହିତ କେନ୍ଦ୍ର ଆଲୋଚନା କରୁଛି । ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ବର୍ଷ ଶେଷ ସୁଦ୍ଧା ଟିକାକରଣ ଶେଷ କରିବାର ସମୟ ସୀମା ମଧ୍ୟ ବଦଳିଯିବ ।