କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କଟକ(ଏନ୍.ଏମ୍.): ଭୟାବହ କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ହରାଇଥିବା ବେଳେ କିଛି ଲୋକ ଏହାର ସୁଯୋଗ ଦେଇ ରାଜ୍ୟ ସରକାରଙ୍କ ଅର୍ଥକୁ ବାଟମାରଣା କରିଥିବା ସଚେତନ ନାଗରିକ ମହାସଭା ଅଭିଯୋଗ ଆଣିଛି । କଟକ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କରୋନା ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲା । ଯେଉଁଥିରେ ପ୍ରତି ଆମ୍ବୁଲାନ୍ସକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆକାଉଣ୍ଟରୁ ୧୫ଶହ ଟଙ୍କା ଏବଂ ୧୦ ଲିଟର ତେଲ (ପେଟ୍ରୋଲ/ଡିଜେଲ) ଦୈନିକ ଦିଆଯାଉଥିଲା । ଯାହାକି ୨୦୨୦ ଜୁଲାଇରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସେବାରେ ୮୦ଟିରୁ ଊର୍ଦ୍ଧ୍ୱ ଆମ୍ବୁଲାନ୍ସ ସେବାରେ ଲାଗିଥିଲା । ଏହା ସଂପୂର୍ଣ୍ଣ ମାଗଣା ସେବା ଥିଲା । କିନ୍ତୁ ବିହାରର ଚାରା ଘୋଟାଲା ଭଳି ଏଠାରେ ମଧ୍ୟ ଆମ୍ବୁଲାନ୍ସ ନାଁରେ ଏକାଧିକ ବାଇକ୍ ନମ୍ବର ଦେଇ ଲକ୍ଷାଧିକ ଟଙ୍କା ହରିଲୁଟ୍ କରାଯାଇଥିବା କଥା ସୂଚନା ଅଧିକାର ଆଇନ ବଳରେ ଜଣାପଡଥିôବା ସଚେତନ ନାଗରିକ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏ ନେଇ ମହାସଭାପକ୍ଷରୁ ଆବାହକ ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ ଶତାଧିକ ନାଗରିକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଏପରିକି ଜଣେ ଫାର୍ମାସିଷ୍ଟଙ୍କ ଇନୋଭା ଗାଡି(ଓଡି-୨୯-ଏ-୦୦୦୯)ରେ ମଧ୍ୟ କରୋନା ରୋଗୀ ବୋହିବା ନାଁରେ ୪୦ ଲିଟର ତେଲ ପଡିଥିଲା । କିନ୍ତୁ ମଜାର କଥା ଯେ, ସେ ସମୟରେ ଜଣେ ଅଭିନେତ୍ରୀ ଉକ୍ତ ଗାଡିକୁ ଭଡାରେ ନେଇଥିଲେ । ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜଣେ କର୍ମଚାରୀଙ୍କ ମାରୁତି ସୁଜିକି(ଓଡି-୧୧-ଏଲ-୦୮୨୮)ରେ ୨୦ ଲିଟର ତେଲ ପଡିଥିଲେ ମଧ୍ୟ ଉକ୍ତ ଗାଡିରେ କୌଣସି ରୋଗୀ ଡାକ୍ତରଖାନାକୁ ଆସିନଥିଲେ । କେବଳ ସେତିକି ନୁହେଁ, ଓଡି-୦୫-ଏନ-୭୭୨୦, ଓଆର୦୭-ଏକ୍ସ-୪୫୯୨, ଓଡି-୦୫-ଏ-୨୫୯୯, ଓଡି-୦୫-ଏମ-୭୮୯୭, ଓଡି-୦୫-ସି-୯୩୭୦, ଓଡି-୦୨-ପି-୩୫୦୪୦, ଓଆର-୦୧-ଏଏମ-୭୦୨୪, ଓଆର-୦୪-କେ-୪୮୪୧ ଏବଂ ଓଆର-୦୫-ଏଟି-୫୭୧୧ ଆଦି ଗାଡିଗୁଡିକରେ ଦୈନିକ ୧୦ ଲିଟର ତେଲ ପାଇଁ ଟୋକନ ଦିଆଯାଇଛି, କିନ୍ତୁ ଏହି ଗାଡିଗୁଡିକୁ ଆମ୍ବୁଲାନ୍ସ ଭଡା ବାବଦରେ ୧୫ଶହ ଟଙ୍କା ଦିଆଯାଇନଥିବାରୁ କିଭଳି କେଳେଙ୍କାରୀ ହୋଇଛି ତାହା ସହଜେ ଅନୁମେୟ । ସବୁଠୁ ଆଶ୍ଚର୍ଯ୍ୟର କଥା କେତେକ ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଭାବରେ ୧୦ଲିଟର ତେଲ ଟୋକନ ଦିଆଯାଇଛି । ତେବେ ଓଡି-୦୫-ଏକ୍ୟୁ-୯୮୯୬, ଓଡି-୦-୫ଏ-କ୍ୟୁ-୩୦୭, ଓଡି-୦୫ଏକ୍ସ-୨୬୧୬, ଓଡି-୦୫-ଏଜେ-୩୧୮୯(ଟିଭିଏସ ଏକ୍ସଏଲ), ଓଡି-୦୫-ଏକେ-୩୧୮୯, ଓଆର-୦୨-ବିଏ-୬୬୪୨(ଡିଭିଏସ ସ୍କୁଟି) ଭଳି ଏକାଧିକ ବାଇକରେ ରୋଗୀ ବୁହାଯାଇଥିବା ଦର୍ଶାଇ ଅର୍ଥ ଲୁଟ କରାଯିବା ସହ ଏହି ହରିଲୁଟ ଟଙ୍କାର କମିଶନି ଭାଗ ସ୍ୱରୂପ ସ୍ୱାସ୍ଥ୍ୟମିଶନ ଅଧିକାରୀଙ୍କ ଗୁଗୁଲ ପେ ଆକାଉଣ୍ଟ ଦ୍ୱାରା ବ୍ୟାଙ୍କ ଖାତାକୁ ଲକ୍ଷ ଲକ୍ଷ ଟଙ୍କା ପଠାଯାଇଥିବା ମହାସଭା ଅଭିଯୋଗ ଉଠାଇଛି । ତେଣୁ ସାରା ଓଡିଶାରେ ଏହି ଯୋଜନାରେ ନିୟୋଜିତ ହୋଇଥିବା ଗାଡି ନମ୍ବର ସବୁ ଯାଞ୍ଚ କରାଯିବା ସହ ଏବଂ ଯେଉଁଠି ଏଭଳି ଦୁର୍ନୀତିର ସୂଚନା ମିଳିଛି ସେଠାକାର ସ୍ୱାସ୍ଥ୍ୟ ମିଶନ ଅଧିକାରୀଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରାଯିବା ଏବଂ ଏହି ଦୁର୍ନୀତିରେ ବହୁ ବଡବଡିଆ ସଂପୃକ୍ତ ଥିବାରୁ ହାଇକୋର୍ଟର ପଦାସୀନ ଜଷ୍ଟିସଙ୍କ ଦ୍ୱାରା ଏହି ଦୁର୍ନୀତିର ତଦନ୍ତ କରାଯିବାକୁ ଆମ୍ଭେ ଦାବି କରାଯାଇଛି । ନଚେତ୍ ଆଗାମୀ ଦିନରେବ୍ୟାପକ ଆନ୍ଦୋଳନ କରିବା ସହ ଲୋକାୟୁକ୍ତ, ଓଡିଶା ଏବଂ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ମହାସଭାର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଆଇନଜୀବୀ ଅମରେନ୍ଦୁ ମହାନ୍ତି, ସଞ୍ଜୟ କୁମାର ନାୟକ, ବାବୁ ବୈଦ୍ୟ, କୃଷ୍ଣଚନ୍ଦ୍ର ନନ୍ଦୀ, କଙ୍କା ମୁର୍ମୁୁ, ହୀରା ମୁର୍ମୁ, ସାଧୁ ହେମ୍ବ୍ରମ, ପାର୍ବତୀ ମୁର୍ମୁ, ସସ୍ମିତା ବାରିକ, ମାତି ମୁର୍ମୁ, ମାଳତୀ ମାରାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ ।