କପାସି ସମବାୟ ସମିତିରେ ଦୁର୍ନୀତି, ଉଚ୍ଚ ସ୍ତରୀୟ ତଦନ୍ତ ଦାବି
ନିଆଳି(ଏନ୍.ଏମ୍.): କଟକ ଜିଲ୍ଲା ଅଧିନସ୍ଥ ନିଆଳି ବ୍ଲକ୍ କପାସୀ ସେବା ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜିକୃତ ତାଲିକାରେ ଥାଇ ମଧ୍ୟ ଚାଷୀ ଧାନ ବିକ୍ରୟ କରି ପାରୁନଥିବା ଅଭିଯୋଗ ହୋଇଛି । କପାସୀ ସମବାୟ ସମିତିରେ ପଞ୍ଜିକୃତ କରିଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟତଃ ୭୦ଭାଗ ଚାଷୀ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି । ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ତାରିଖ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ କିଣା ଯାଇନାହିଁ । ଜାନୁୟାରୀ ମାସରେ ଟୋକନ୍ ପାଇଥିବା ଚାଷୀଙ୍କର ଧାନ ଫେବୃୟାରୀ ମାସରେ କିଣା ଯାଉଛି । ସାଧାରଣରେ ଅଭିଯୋଗ ହେଉଛି ଯେ, ଏହି ସମବାୟ ସମିତିର ସେକ୍ରେଟାରୀ ଚାଷୀଙ୍କ ଉପରେ ପ୍ରାଧାନ୍ୟ ନଦେଇ ସ୍ଥାନୀୟ ଧାନ ବେପାରୀଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ପ୍ରତ୍ୟେକ ମଣ୍ଡି ବାରରେ ବେପାରୀଙ୍କ ଭିଡ ଦେଖିବାକୁ ମିଳୁଛି, ଶତକଡା ୯୦ ଭାଗ ବେପାରୀ ଥିବାବେଳେ ମାତ୍ର ୧୦ ଭାଗ ଚାଷୀଙ୍କୁ ନେଇ ଏହି ମଣ୍ଡି ଚାଲୁଥିବାର ମଧ୍ୟ ଅଭିଯୋଗ ହେଉଛି । ଯାହା ଫଳରେ ଚାଷୀମାନେ ବେପାରୀଙ୍କୁ ଅତି କମ୍ ମୂଲ୍ୟରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଚାଷୀ ନିଜର ଧାନ ବିକ୍ରୟର ସଠିକ୍ ତାରିଖ ସେକ୍ରେଟାରୀ ସୌମେନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ , ସେ ଧାନ କିଣା ହେବ କି ନ ହେବ ଠିକ୍ ଭବେ କହି ପାରୁନାହାଁନ୍ତି ।ଏଥି ସହିତ ମିଛ ତାରିଖ କହି ଚାଷୀଙ୍କୁ ଭ୍ରମିତ କରୁଛନ୍ତି ।ଚାଷୀଙ୍କୁ ଦିଆ ଯାଇଥିବା ତାରିଖ ରେ ଚାଷୀ ଧାନ ମଣ୍ଡିକୁ ଆଣି ଫେରେଇକି ନେଉଛନ୍ତି । ବାଧ୍ୟ ହେଇ ବେପାରୀଙ୍କୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଭାଗ ଚାଷୀଙ୍କର ଧାନ କିଣା ଯାଇଥିବା ବେଳେ ୮୦ ଭାଗ ଲୋକ ଧାନ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି । ବେପାରୀଙ୍କ ଠାରୁ ଧାନ କିଣା ଯାଉଥିବା ବେଳେ ପଞ୍ଜିକୃତ ଚାଷୀଙ୍କ ଠାରୁ କାହିଁକି କିଣା ଯାଉନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । କପାସି ସେବା ସମବାୟ ସମିତିରେ ଧାନ ବିକା କିଣାକୁ ନେଇ ବିପୁଳ ମାତ୍ରାରେ ଦୁର୍ନୀତି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବେପାରୀଙ୍କର କୌଣସି ପଞ୍ଜିକୃତ ତଥ୍ୟ ନଥାଇ ମଧ୍ୟ ସେମାନେ କିଭଳି ଭାବରେ ସହ ସହ ବସ୍ତା ଧାନ ବିକ୍ରି କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଜଣେ ବ୍ୟକ୍ତି ସମବାୟ ସମିତିର ସେକ୍ରେଟାରୀ ରହିଲେ କପାସି ସେବା ସମବାୟ ସମିତି ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ପରିପୂର୍ଣ୍ଣ ହେବା ଅସମ୍ଭବ ନୁହେଁ । ଏହି ବିଷୟରେ ଆମେ ସେକ୍ରେଟାରୀ ସୌମେନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବେ ନାହିଁ ବୋଲି କହିଥିଲେ । ଯଦି ସେ ନିର୍ମଳ ତେବେ ମିଡ଼ିଆ ସାମ୍ନାରେ କିଛି ଉତ୍ତର ରଖୁ ନାହାନ୍ତି କାହିଁକି ବୋଲି କେତେକ ଚାଷୀ ପ୍ରଶ୍ନ କରିଛନ୍ତି । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ଏହି ଘଟଣାର ତଦନ୍ତ କରି ସେକ୍ରେଟାରୀ ସୌମେନ୍ଦ୍ର ଲେଙ୍କାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।