କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା

କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା

କଟକ(ଏନ୍.ଏମ୍.): କଟକ ସହରରେ ଠିକ୍ଭାବେ ନାଳନର୍ଦ୍ଦମା ସଫେଇ ତଥା ପଙ୍କୋଦ୍ଧାର ନହେଉଥିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖ ବେଳକୁ ପ୍ରବଳ ବର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ସହରର ମୁଖ୍ୟନର୍ଦ୍ଦମାରେ ବକ୍ସଡ୍ରେନ ନିର୍ମାଣ ଅଧାପନ୍ତରିଆ ଭାବେ ହୋଇଥିବା ଯୋଗୁଁ ଡ୍ରେନର ବିଭିନ୍ନ ସ୍ଥାନରେ ଆବର୍ଜନା ଜମା ହୋଇ ଜଳନିଷ୍କାସନରେ ବାଧକ ସାଜୁଛି । ଏଥି ସହିତ ସହରେ ଥିବା ସମସ୍ତ ନାଳନର୍ଦ୍ଦମାରୁ ଏଯାଏ ପଙ୍କୋଦ୍ଧାର ଶେଷ ହୋଇ ନାହିଁ । ଏହି ସମୟରେ ଯଦି ଅଧିକ ବର୍ଷା ହୁଏ ତେବେ କଟକ ସହର ଜଳାର୍ଣ୍ଣବ ହେବା ସହ ଲୋକେ ଜଳବନ୍ଦୀ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଚଳିତ ବର୍ଷ କୋଭିଡ ଯୋଗୁଁ ଲକ୍ଡାଉନ ସଟ୍ଡାଉନ ଜାରି ରହିଥିବାବେଳେ କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ତେଣୁ ଠିକ୍ ସମୟରେ ପଙ୍କୋଦ୍ଧାର ନହେଲେ ସହରର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହୋଇ ପଡ଼ିବ ବୋଲି କୁହାଯାଉଛି । ଏହାକୁ ନେଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶ ପାଇଥିଲା । ତେବେ ସହରର ଜଳନିଷ୍କାସନ ବ୍ୟବସ୍ଥା ନେଇ ରାଜ୍ୟସଭା ସାଂସଦ ସୁବାଷ ସିଂ ଆଜି ସିଏମସି କମିଶନର ଅନନ୍ୟା ଦାସଙ୍କ ସହ ଆଲୋଚନା କରିଥିଲେ । ସିଏମସି ମିନି କନଫରେନ୍ସ ହଲରେ ଆୟୋଜିତ ଏହି ଆଲୋଚନାରେ ସହରର ନାଳନର୍ଦ୍ଦମା ସଫେଇ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ବର୍ଷା ଆସିବା ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମା ସଫେଇ ଶେଷ କରିବା ଓ ବକ୍ସ ଡ୍ରେନଗୁଡ଼ିକରେ କିଭିଳି ଜଳ ନିଷ୍କାସନରେ ସମସ୍ୟା ନହେବ ସେ ନେଇ ସିଏମସି କମିଶନର ଶ୍ରୀମତୀ ଦାସ ପଦକ୍ଷେପ ନେବାକୁ କହିଥିଲେ । ଏଥି ସହିତ ତୁରନ୍ତ ଜଳନିଷ୍କାସନ ପାଇଁ ତଳିଆ ଅଞ୍ଚଳରେ ସିଏମସି ପକ୍ଷରୁ ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପ ଲଗାଯିବ ବୋଲି ଜଣାପଡ଼ିଛି । ଏହି ବୈଠକରେ ପୂର୍ବତନ କର୍ପୋରେଟର ତଥା ପୂର୍ବତନ ସିଏମସି ସ୍ୱାସ୍ଥ୍ୟକମିଟି ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଯୋଗଦେଇ ସହରରେ ଜଳନିଷ୍କାସରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ବଜ୍ରକବାଟୀସ୍ଥିତ ଏମଏମଡବ୍ଲୁ-୧ ଓ -୨ରେ ନିର୍ମାଣରତ ବକ୍ସଡ୍ରେନକୁ ତଦାରଖ କରିବା ପାଇଁ ଏକ ଟେକ୍ନିକାଲ କମିଟି ଗଠନ କରାଯିବା ସହ ୧୪ମାସ ମଧ୍ୟରେ ବକ୍ସଡ୍ରେନ ନିର୍ମାଣ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ନାଳନର୍ଦ୍ଦମା ସଫେଇ ହେବ ବୋଲି କମିଶନର କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ