କଟକ ରେଳ ଷ୍ଟେସନର ଆଧୁନିକିକରଣ ପାଇଁ ସାଢ଼େ ୩ ଶହ କୋଟି ଟଙ୍କା ବ୍ୟୟ ବରାଦ : ସାଂସଦ ଭର୍ତ୍ତୃହରି ମହତାବ

କଟକ(ଏନ୍.ଏମ୍.): କଟକ ରେଳ ଷ୍ଟେସନକୁ ଅଧିକ ସୁନ୍ଦର ତଥା ଷ୍ଟେସନର ନବୀକରଣ ସହ ଆଧୁନିକିକରଣ କରାଯିବା ପାଇଁ ବିଭାଗ ପକ୍ଷରୁ ସାଢ଼େ ୩ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଆଜି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା କଟକ ରେଳ ଷ୍ଟେସନଠାରେ ନବୀକରଣ ସମ୍ପର୍କରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ରେଳ ବିଭାଗର ଡିଆରଏମ୍ ରିକେସ୍ ରାୟ ଏବଂ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ କଟକ ରେଳ ଷ୍ଟେସନ ମ୍ୟାନେଜର ସୌରଭ ମୁଖପାଧ୍ୟାୟଙ୍କ ସହିତ ବିଭାଗର ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । ଷ୍ଟେସନର ନବୀକରଣ କାର୍ଯ୍ୟରେ ମୁଖ୍ୟତଃ କଟକ ରେଳ ଷ୍ଟେସନର ପୂର୍ବପଟେ ଖୋଲାଯାଇଥିବା ଟିକେଟ କାଉଣ୍ଟର ସମ୍ମୁଖ ଭାଗର ଉନ୍ନତିକରଣ ସହିତ ଜାତୀୟ ରାଜପଥରୁ ଷ୍ଟେସନକୁ ରାସ୍ତା ସଂଯୋଗ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ଷ୍ଟେସନ ଭିତରେ ଯାତ୍ରୀମାନଙ୍କର ସୁବିଧା ପାଇଁ ଅଧିକ ଏସ୍କାଭେଟର ଓ ଲିଙ୍ଗର ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା କରାଯିବା ପାଇଁ ସାଂସଦ ଶ୍ରୀ ମହତାବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥରୁ ଷ୍ଟେସନର ପୂର୍ବ ଗେଟ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜମି ଅଧଗ୍ରହଣ ସମ୍ପର୍କରେ ସାଂସଦ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ରେଳ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ । ଆଗାମୀ ଜାନୁୟାରୀ ମାସ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ରେଳ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଶ୍ରୀ ମହତାବ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଧର୍ମେଶ ନାୟକ, ସାଂସଦଙ୍କ ପ୍ରତିନିଧି ଚିରଞ୍ଜୟ ସାହୁ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ଏବଂ ଆରପିଏଫ୍ ଇନ୍ସପେକ୍ଟର ଅନିଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଧନ୍ୟବାଦ୍