କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ
କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲାର ମୁଖ୍ୟତଃ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଜେଡ଼ି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନେତୃତ୍ୱ ନେଇଥିଲେ । ପ୍ରଥମେ ବିଜେଡ଼ି ଦୋଳମୁଣ୍ଡାଇସ୍ଥିତ କାର୍ଯ୍ୟାଳୟ ଏବଂ ଆନନ୍ଦ ଭବନ, ବିଜୁ ପଟ୍ଟନାୟକଛକ ଓ ଚୌଧୁରୀ ବଜାରସ୍ଥିତ ସିଏମସି କାର୍ଯ୍ୟାଳୟ ବିଜୁ ଭବନ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ କଟକଚଣ୍ଡି ମନ୍ଦିର ସମ୍ମୁଖରେ ବସିଥିବା ଭିକ୍ଷୁକମାନଙ୍କୁ କଟକ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ସାମନ୍ତରାୟ ଓ ସାଂସଦ ସୁବାସ ସିଂହଙ୍କ ଉପସ୍ଥିତିରେ କମ୍ବଳ ବିତରଣ କରାଯାଇଥିଲା । ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବାରବାଟୀ-କଟକ ମହିଳା ବିଜେଡ଼ି ପକ୍ଷରୁ ରକ୍ତ ଦାନ ଶିବିର ଓ ଅଙ୍ଗ ଦାନ ପଞ୍ଜିକରଣ ଶିବିରରେ ରକ୍ତ ଓ ଅଙ୍ଗଦାତାମାନଙ୍କୁ ଉତ୍ସାହିତ କରାଯାଇଥିଲା । ଅପରାହ୍ନ ସମୟରେ ଆନନ୍ଦ ଭବନ ସମ୍ମୁଖରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ କର୍ମୀମାନଙ୍କୁ ଶ୍ରେଷ୍ଠ ଓଡ଼ିଶା ଗଢ଼ିବାର ସଂକଳ୍ପର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି, ପ୍ରଫୁଲ ସିଂହ, ନଗର ସଭାପତି ମଧୁସୂଦନ ସାହୁ, କଟକ ଜିଲ୍ଲା ଉପସଭାପତି ଧର୍ମେଶ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଅରିନ୍ଦମ ରଏ, ପୂର୍ବତନ କର୍ପୋରେଟର ରମଜାନ ଖାନ, ମହିଳା ଜିଲ୍ଲା ସଭାନେତ୍ରୀ ଅନିତା ବେହେରା, ମହିଳା ସିଟି ସଭାପତି ପୂର୍ଣ୍ଣିମା ସିଂ, ରାଜ୍ୟ ଛାତ୍ର ସମ୍ପାଦକ ସନ୍ତୋଷ ମହାପାତ୍ର, ସିଟି ଯୁବ ସଭାପତି ସଞ୍ଜିତ ଦାସ, ଜିଲ୍ଲା ଛାତ୍ର ସଭାପତି ଆସିଫ ଆମିନ, କଟକ ଜିଲ୍ଲା ଯୁବ ସଭାପତି ସ୍ମୃତିରଞ୍ଜନ ନାୟକ, ସିଟି ଛାତ୍ର ସଭାପତି ସଞ୍ଜୟ ପଟ୍ଟନାୟକ, ଯୁବ ନେତା ମହମ୍ମଦ ସିକିଲ, ଜୋନ ସଭାପତି ସ୍ମୃତି ଦାସ, ଆଇନଜୀବୀ ଶଶିଭୂଷଣ ଦାସ, ପ୍ରଫୁଲ୍ଲ ମହାପାତ୍ର, ରମନ ବାଗାଡିଆ, ଓଡ଼ିଶା ମୋ ପରିବାର ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତଥିଲେ ।