କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ

News by B.R. Mishra (BBSR)

ଭୁବନେଶ୍ୱର(ଏନ୍‍.ଏମ୍‍.): ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କ (ପଞ୍ଜିକରଣ ଓ ସଂରକ୍ଷଣ) ଅଧିନିୟମ, ୧୯୯୯ ଦ୍ୱାରା ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କର ପଞ୍ଜିକରଣ ଓ ଉନ୍ନତ ମାନର ସଂରକ୍ଷଣ କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବା ସଙ୍ଗେ ସଙ୍ଗେ କାରିଗର ଓ ଖାଉଟିମାନଙ୍କର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ଭୌଗୋଳିକ ସୂଚକାଙ୍କ ମାନ୍ୟତା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି । ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ନିମନ୍ତେ ଏହା ମଧ୍ୟ ସହାୟକ ହେବ । ହସ୍ତଶିଳ୍ପ ସାମଗ୍ରୀ ବିଷୟରେ ଅଧିକ ସଚେତନତା ସୃଷ୍ଟି ହେବ ଓ କାରିଗରମାନେ ଉପକୃତ ହେବେ । ଚଳିତ ମାସ ୫ ତାରିଖରେ ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଛି । ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗୋଳିକ ସୂଚକାଙ୍କ ପଞ୍ଜିକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ । କଂସା ଓ ପିତ୍ତଳ କାମ ପାଇଁ ପିତ୍ତଳ ଓ ଅନ୍ୟ ଧାତୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀଗୁଡିକର ବିସ୍ତୃତ ବିବରଣୀ ପ୍ରସ୍ତୁତି କ୍ରମେ ଆବେଦନ କରାଯାଇଛି । ଏଥି ପାଇଁ ୨୮ଟି ଜିଲ୍ଲାରେ ଅବସ୍ଥିତ ଅନେକ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ତଥ୍ୟ ସଂଗ୍ରହ କରାଯାଇଛି । ପୂର୍ବରୁ କୋଣାର୍କ ପଥର ଖୋଦେଇ, ପିପିଲି ଚାନ୍ଦୁଆ ଓ ଓଡ଼ିଶା ପଟ୍ଟଚିତ୍ରର ଭୌଗଳିକ ସୂଚକାଙ୍କ ପଞ୍ଜିକରଣ କରାଯାଇଛି । ଏତଦ୍ ବ୍ୟତୀତ କଟକ ଚାନ୍ଦି ତାରକସୀ ଓ ଓଡ଼ିଶା କାଇଁଚ କାମ ହସ୍ତଶିଳ୍ପର ଭୌଗୋଳିକ ସୂଚକାଙ୍କ ପଞ୍ଜିକରଣ ନିମନ୍ତେ ଆବେଦନ କରାଯାଇଛି ଓ ଏହା ଏବେ ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକାଙ୍କରେ ରେଜିଷ୍ଟେସନ୍ ପାଇଁ ବିଚାରାଧିନ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ବେଳଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରପାଲିର ଟେରାକୋଟା ଛାତ ଟାଇଲ୍‌, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜିରାଳର ନଡା କାମ, ବାଲେଶ୍ୱରର ଲାଖ କଣ୍ଢେଇ, ଓଡ଼ିଶା ଢୋକରା କାଷ୍ଟିଙ୍ଗ, ନୀଳଗିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣ୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଙ୍ଗ କାମ, ନବରଙ୍ଗପୁରର ଲାଖ ପେଡି ଓ ପୁରୀର ତାଳପତ୍ର ପୋଥି ଚିତ୍ର ପରି ହସ୍ତଶିଳ୍ପର ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ