ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

କଟକ (ଏନ୍.ଏମ୍.) : ଓଡ଼ିଶା ହାଇକୋର୍ଟରେ ଆଜି ଆଉ ୨ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ସମେତ ବରିଷ୍ଠ ଆଇନଜୀବୀ, ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ୨୦୨୨, ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କ ନାଁ ସୁପାରିସ କରିଥିଲା । ଗତକାଲି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶ୍ରୀ ଶତପଥୀ ଓ ଶ୍ରୀ ଦାଶଙ୍କୁ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ଶତପଥୀ ଏବେ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୯୭୨, ଏପ୍ରିଲ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ସେହିଭଳି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ଦାଶ ୧୯୬୪, ନଭେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏବେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଅଛନ୍ତି ।