ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ !
#ଭୁବନେଶ୍ୱର(ଏନ୍.ଏମ୍.): ଅକ୍ଟୋବରରେ ବାତ୍ୟାକୁ ନେଇ ଓଡ଼ିଶାବାସୀ ଭୟଭୀତ ହୋଇପଡ଼ିଥିବା ଏବେ ଆଶ୍ୱସ୍ତିମୂଳକ ଖବର ମିଳିଛି । ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ଥାଇଲ୍ୟାଣ୍ଡର ନାମକରଣ ଅନୁଯାୟୀ ଏହି ବାତ୍ୟାର ନାମ ସିତ୍ରାଙ୍ଗ ରହିଛି । ହେଲେ ଏହା ଓଡ଼ିଶା ଉପରେ ସେଭଳି କିଛି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସିତ୍ରାଙ୍ଗ ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନଥିଲେ ମଧ୍ୟ ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ସୂଚନା ଦିଆଯାଇଛି । ତେବେ ଭାରିବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ର ମହାନିର୍ଦ୍ଦେଶକ ଫଳରେ ଆଶ୍ୱସ୍ତ ହୋଇଛନ୍ତି ରାଜ୍ୟବାସୀ ।
ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏହି ଅବପାତ ସୃଷ୍ଟି ହେବ । ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ । ତେବେ ଏହା ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ଼ ବଦଳାଇବ ଏବଂ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ଏହା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ । ଏଥିସହ ସେ ପୁଣି କହିଛନ୍ତି, ଏହି ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ । ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ । ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପରେ ରହିବାର ସମ୍ଭାବନା ରହିଛି । ତେବେ ଏବେଠୁ ଏହାର ତୀବ୍ରତା ଜଣାପଡ଼ିନି । ଡିପ୍ରେସନରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ । ଏହା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ତାରିଖରେ ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ୨୧ ତାରିଖ ଠାରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି । ଯେଉଁମାନେ ଯାଇଛନ୍ତି କୂଳକୁ ଫେରି ଆସିବା ପାଇଁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ଉପକୂଳ ନିକଟରେ ୨୩ ବେଳକୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବଢ଼ି ଧୀରେ ଧୀରେ ୪୦-୫୦ କିମି ବେଗରେ ପବନ ବହିବ । ତଥାପି ଓଡ଼ିଶାର ଉପକୂଳ ଜିଲ୍ଲା ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାପ୍ରଶାସନ ସଜାଗ ରହିବା ପାଇଁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମସ୍ତ ଅଧିକାରୀମାନେ ଦୀପାବଳି ଛୁଟିକୁ ବାତିଲ କରି ୨୩ ଓ ୨୪ତାରିଖରେ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସମ୍ଭାବ୍ୟବାତ୍ୟା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ବାରମ୍ବାର ବୈଠକ ବସିବା ସହ ଆଲୋଚନା କରାଯାଇ କିଭଳି ଜିରୋ କାଜୁଆଲିଟି ରହି ପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି ।