ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ
କଟକ(ଏନ୍.ଏମ୍.): ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଔପଚାରିକ ଭାବେ ଓସିଏର ନୂଆ ସଭାପତି ଦାୟିତ୍ୱ ନେଇଛନ୍ତି । ଓସିଏର ୧୧ତମ ସଭାପତି ଭାବେ ସେ ଦାୟିତ୍ୱ ନେଇଛନ୍ତି । ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଶ୍ରୀ ଦାସଙ୍କ ନେତୃତ୍ୱରେ ରାଜ୍ୟର ଏହି ସର୍ବୋଚ୍ଚ କ୍ରିକେଟ ସଂଘ ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି ଆଶା ରହିଛି । ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ର କର୍ମକର୍ତ୍ତା ନିର୍ବାଚନରେ ସମସ୍ତ ୬ ପଦବୀ ପାଇଁ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି କେବଳ ଔପଚାରିକ ଭାବେ ଫଳାଫଳ ଘୋଷଣା କରାଯାଇଛି । ବିଧାୟକ ଶ୍ରୀ ଦାସ ଓସିଏର ନୂଆ ସଭାପତି ହୋଇଥିବାବେଳେ ସଞ୍ଜୟ ବେହେରା ଦ୍ୱିତୀୟ ଥର ଭାବରେ ଓସିଏର ସମ୍ପାଦକ ଭାବରେ ନିଜର ଗାଦି ଅଧିକୃତ କରିଛନ୍ତି । ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧକ୍ଷ ଭାବେ ବିକାଶ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ କିପରି ତୃଣମୂଳସ୍ତରରୁ କ୍ରିକେଟର ସୃଷ୍ଟି ହେବେ ତାହା ଉପରେ ଗୁରୁତ୍ୱ ଦିଆଯିବ ଓ ବାରବାଟୀ ଷ୍ଟାଡିଅମର ଆହୁରି ବିକାଶ କରାଯିବ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହାସହ ଯେଉଁ ଭିଜନ ୨୦୨୪ ପାଇଁ ରହିଥିଲା ତାହା ଉପରେ ଆହୁରି ଦୃଷ୍ଟି ଦିଆଯିବ । ସମସ୍ତ ଜିଲ୍ଲାର କ୍ରୀଡା ସଂଘର ସହଯୋଗରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ ଜାରି ରଖିଛନ୍ତି । କ୍ରିକେଟ ଓ ବାରବାଟୀ ଷ୍ଟାଡିୟମକୁ ନେଇ ଅନେକ ଯୋଜନା ରହିଛି ବୋଲି ଓସିଏ ସଭାପତି ପ୍ରକାଶ କରିଛନ୍ତି । ଏହି ଅବସରରେ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି ଯେ, ଗ୍ରାମାଞ୍ଚଳରେ କ୍ରିକେଟର ବିକାଶ ପାଇଁ ଯୋଜନା ପ୍ରସ୍ତୁତି ହେଉଛି । ବର୍ତ୍ତମାନ ସୁଦ୍ଧା ୮ ହଜାର ୭୦୦ ଜଣ ସିନିଅର ଓ ଜୁନିଅର କ୍ରିକେଟ ଖେଳାଳିଙ୍କ ପଞ୍ଜିକରଣ କରାଯାଇଛି । କ୍ରିକେଟକୁ ନେଇ ୨୦୨୪ ପାଇଁ ଭିନ ସ୍ଥିର କରାଯାଇଛି । କଟକ-ଭୁବନେଶ୍ୱରକୁ ସ୍ପୋର୍ଟସ ହବ୍ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ରହିଛି । ଏହାକୁ ପୂରଣ କରିବାକୁ ଚେଷ୍ଟା କରିବୁ ବୋଲି ଶ୍ରୀ ବେହେରା ସୂଚନା ଦେବା ସହ ଆଗାମୀ ଦିନରେ ୩୦ ଜିଲ୍ଲାରେ କ୍ରିକେଟ ଏକାଡେମୀ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।