‘ଓଡ଼ିଶା ସ୍କିଲ କନ୍କ୍ଲେଭ୍’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ
#ଭୁବନେଶ୍ୱର(ଏନ୍.ଏମ୍.): ତିନି ଦିନିଆ ‘ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍’ ଅବସରରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସକାଳୁ ଉତ୍ସବ ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଉତ୍ସବମୁଖରିତ ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଓ ପଲିଟେକ୍ନିକ୍ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ଉତ୍ସବରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ, ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ବିଭାଗୀୟ ନିର୍ଦ୍ଦେଶକ ରେଘୁ ଜି. ଉତ୍ସବରେ ଯୋଗଦେଇ ଅଂଶଗ୍ରହଣକାରୀ ତଥା ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ଖାଦ୍ୟଷ୍ଟଲ ସହିତ ଫେସନ୍ ସୋ, ପ୍ରସାଧନ କଳାକୃତି ଓ ରାମ୍ପ୍ ସୋ ଇତ୍ୟାଦିର ଆୟୋଜନ ପଥପ୍ରାନ୍ତ ଉତ୍ସବକୁ ବିଶେଷ ଆକର୍ଷଣୀୟ କରି ଗଢ଼ିତୋଳିଥିଲା । ଆଇଟିଆଇ, ପଲିଟେକନିକ୍, ମିଶନ ଶକ୍ତି ପକ୍ଷରୁ ପ୍ରାୟ ୫୦ଟି ଷ୍ଟଲ ଖୋଲିଥିଲା ଏବଂ ଏଥିରେ ବିଶେଷ ଗହଳି ପରିଲକ୍ଷିତ ହୋଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଜନସାଧାରଣ ଯୋଗଦେଇ ପ୍ରଦର୍ଶନକାରୀ ଶିଳ୍ପୀ ଏବଂ ଯୁବପ୍ରତିଭାମାନଙ୍କୁ ପ୍ରଶଂସା କରିଥିଲେ ।