ଓଟିଏମକୁ ନେଇ ଏବେ ଚୌଦ୍ୱାର ଚଳଚଞ୍ଚଳ
ଓଟିଏମ୍ ପୁନରୁଦ୍ଧାର ପାଇଁ ୧୫୦ କୋଟି ପଇଠ କରିବେ ରାଜ୍ୟ ସରକାର,
କର୍ମଚାରୀଙ୍କ ବକେୟା ହିସାବ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତ
ଅନିଶ୍ଚିତତାରେ କଲୋନୀ ବାସୀଙ୍କ ବାସ
କଟକ/ଚୌଦ୍ୱାର(ଏନ୍.ଏମ୍.): ବହୁ ପ୍ରତିକ୍ଷୀତ ଓଡ଼ିଶା ଟେକ୍ସଟାଇଲ ମିଲ୍(ଓଟିଏମ)କୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ହାଇକୋର୍ଟଙ୍କ ରାୟ ପରେ ଓଟିଏମ ପୁନରୁଦ୍ଧାର ହେବା ନେଇ ବାଟ ଫିଟୁଛି । ତେବେ ଓଟିଏମ ବିଚାର ପରେ ଶିଳ୍ପନଗରୀ ଚୌଦ୍ୱାର ଏବେ ଉତ୍ସବ ମୁଖର ହୋଇ ଉଠିଛି । ବର୍ଷ ବର୍ଷ ଧରି ଓଟିଏମର ଭାଗ୍ୟ କୋର୍ଟର କାଠଗଡ଼ାରେ ରହିଯାଇଥିବାବେଳେ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା । ଏବେ ଶ୍ରମିକ ପରିବାରରେ ନୂତନ ଆଶାର ସଞ୍ଚାର ହୋଇଛି । ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆଇନଗତ ବିବାଦର ଖୁବଶୀଘ୍ର ଅବସାନ ଘଟିପାରେ ବୋଲି କୁହାଯାଉଛି । ତେବେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା ରହିଛି । ଓଟିଏମ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଟିଏମ ଅଧିଗ୍ରହଣ ପାଇଁ ୧୫୦ କୋଟି ଟଙ୍କା ପଇଠ କରାଯିବ ବୋଲି ସତ୍ୟପାଠ ଦିଆଯାଇଛି । ଅନ୍ୟପଟରେ ଓଟିଏମ ମାମଲାରେ ନିଯୁକ୍ତ ଅଫିସିଆଲ ଲିକ୍ୟୁଡେଟରଙ୍କ ପକ୍ଷରୁ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ହିସାବ ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା । ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଏହି ମାମଲାର ଶୁଣାଣି କରି ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦାଲତରେ ଉପସ୍ଥିତ ରହି ଆଡଭୋକେଟ ଜେନେରାଲ ଦର୍ଶାଇଥିଲେ ଯେ, ଓଟିଏମ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫କୋଟି ଟଙ୍କା ଡିପୋଜିଟ କରାଯାଇଛି । ରାଜ୍ୟ ସରକାର ୩୦ କୋଟି ଦେଇଥିବା ବେଳେ ବାକି ୫କୋଟି ଇଡକୋ ପକ୍ଷରୁ ପ୍ରଦାନ କରାଯାଇଛି । ଇତିମଧ୍ୟରେ କେତେକ କର୍ମଚାରୀଙ୍କୁ ଏହି ଟଙ୍କାରୁ ବକେୟା ପ୍ରଦାନ କରାଯାଇଛି ଓ ପ୍ରକ୍ରିୟା ଜାରି ରହିଛି । ସରକାର ଆଉ ୧୫୦କୋଟି ଜମା କରିବେ ବୋଲି ଆଡଭୋକେଟ ଜେନେରାଲ ଆଶୋକ ପରିଜା ଅଦାଲତଙ୍କୁ ଅବଗତ କରାଇଛନ୍ତି । ଏଣୁ ସମସ୍ତ ପ୍ରାପ୍ୟ ପ୍ରଦାନ ପରେ ବି ସରକାର ଏଥିରୁ ବଳକା କିଛି ଟଙ୍କା ଫେରିପାଇବେ ବୋଲି ମଧ୍ୟ କୁହାଯାଇଛି । ଅନ୍ୟପଟରେ ରାଜ୍ୟସରକାର ଏହି ୫୨୧ଏକର ପରିମିତ ଓଟିଏମକୁ ଅଧିଗ୍ରହଣ କରି ପୁନରୁଦ୍ଧାର କରିବା ପାଇଁ ଇଛା ପ୍ରକାଶ କରିଛନ୍ତି । ସେହିପରି ଓଟିଏମ କ୍ୱାର୍ଟରରେ ବିଜୁଳି ସଂଯୋଗ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗୋଟିଏ ମିଟରରେ ୯୦କ୍ୱାର୍ଟରକୁ ବିଜୁଳି ସଂଯୋଗ ହୋଇଥିବା କୁହାଯାଇଥିଲା । ସବୁ କ୍ୱାର୍ଟରକୁ ପୃଥକ ପୃଥକ ମିଟର ସଂଯୋଗ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ବିଧାନସଭାରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଏ ନେଇ ସ୍ପଷ୍ଟ କରିଛନ୍ତି । ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ରାୟ ପରେ ଏବେ ଓଟିଏମକୁ ସରକାର ହାତକୁ ନେବେ । ସେଠି ପୁଣି ହୁଏତ ଟେକ୍ସଟାଇଲ୍ ପାର୍କ ମୁଣ୍ଡ ଟେକିବ । ଚୌଦ୍ୱାର ପୁଣି ଶିଳ୍ପକୁ ନେଇ ଚଳଚଞ୍ଚଳ ହେବ । ଏଭଳି ଆଶା ଏବେ ସଞ୍ଚାର ହୋଇଥିବା ବେଳେ ବୁଡ଼ି ଯାଇଥିବା ଓଟିଏମର କର୍ମଚାରୀଙ୍କ ଅସରନ୍ତି ଦୁଃଖ ଏବେ ସାମନାକୁ ଆସୁଛି । ଓଟିଏମ୍ ବନ୍ଦ ହେଲା ବେଳକୁ ପ୍ରାୟ ୩୭ଶହ କର୍ମଚାରୀ କାର୍ଯ୍ୟରତ ଥିଲେ । ସେମାନଙ୍କ ମଧ୍ୟରୁ ୭ ଶହରୁ ଅଧିକ ପ୍ରାଣ ହରାଇଲେଣି । ତେବେ, ଏହି ୩୭ଶହରୁ ଅଧିକ ପରିବାରଙ୍କ ମନରେ ପ୍ରାପ୍ୟ ଆଶା ଉଜ୍ଜୀବିତ ହୋଇଛି । ଓଟିଏମର ଶ୍ରମିକ, କର୍ମଚାରୀ, ଅଧିକାରୀ ଏଭଳି ୩ଟି ବର୍ଗର ଲୋକ ଅଛନ୍ତି । ଓଟିଏମରୁ ସ୍ୱେଚ୍ଛାକୃତ ଅବସର, ବାଧ୍ୟତାମୂଳକ ଅବସର ନେଇଥିବା କର୍ମଚାରୀ ବି ଅଛନ୍ତି । ପ୍ରାୟ ସମସ୍ତଙ୍କ ଟଙ୍କା ବାକି ପଡ଼ିଛି । ହାରାହାରି ଜଣେ ଜଣେ ଅତିକମରେ ୪ରୁ ୫ ଲକ୍ଷ ଟଙ୍କା ବକେୟା ପାଇବେ ବୋଲି ଜଣାପଡ଼ିଛି । ଓଟିଏମ୍ ହଜାର ହଜାର ଶ୍ରମିକମାନଙ୍କୁ ଜୀବିକା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଦୁଃସ୍ଥିତି ସେମାନଙ୍କ ଜୀବନର ସବୁ ସୁଖ ଛଡ଼ାଇ ନେଇଥିବା ବହୁ ଶ୍ରମିକ ପ୍ରକାଶ କରିବା ସହ ସରକାର ଚାହିଁଥିଲେ ୨୦ ବର୍ଷ ପୂର୍ବରୁ ବି ଏତକ କରିପାରିଥା’ନ୍ତେ ବୋଲି ଅନେକ କ୍ଷୋଭର ସହ କହିଛନ୍ତି ।
ସୂଚନାଥାଉକି ୫୦ ଦଶକରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା କଟକ ଉପକଣ୍ଠ ଚୌଦ୍ୱାରଠାରେ ଓଟିଏମ ପ୍ରତିଷ୍ଠା ହୋଇଥିଲା । ପରିଚାଳନାଗତ ତ୍ରୁଟି ଓ ଆର୍ଥିକ ସଂକଟରୁ ୧୯୮୧ ମସିହାରେ ଏହି କାରଖାନାକୁ ରୁଗ୍ଣ ଘୋଷଣା କରାଯାଇଥିଲା । ପରେ ଏହାକୁ ସରକାର ହାତକୁ ନେଇଥିଲେ । ଗୁରୁତର ଆର୍ଥିକ କ୍ଷତି ପାଇଁ ୨୦୦୧ମସିହାରୁ ଏହି କାରଖାନାରେ ସମ୍ପୂର୍ଣ୍ଣ ତାଲା ଝୁଲିଥିଲା । ସେବେଠୁ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ସପ୍ତାହ ପରେ ହେବ ବୋଲି ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ଏହାକୁ ନେଇ ମଧ୍ୟ ଚୌଦ୍ୱାର ଅଞ୍ଚଳରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇ ଉଠିଛି । ବର୍ଷ ବର୍ଷ ଧରି ଓଟିଏମ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ଶ୍ରମିକମାନେ ଏବେ ଏହି ରାୟ ପ୍ରକାଶ ପରେ ମାନ୍ୟବର ହାଇକୋର୍ଟଙ୍କୁ କୃତଜ୍ଞତା ଜଣାଇବା ସହ ସତ୍ୟର ଜୟ ହୋଇଛି ବୋଲି କହୁଛନ୍ତି । ପୁନଶ୍ଚ ଓଟିଏମର ଭାଗ୍ୟ ଖୋଲିବା ନେଇ ଏହାର ସମସ୍ତ ଶ୍ରେୟ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଅଞ୍ଚଳବାସୀ ଦେଇଛନ୍ତି । ଏ ନେଇ ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଏହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ସହ ରାଜ୍ୟସରକାରଙ୍କ ଆନ୍ତରିକତା ଯୋଗୁଁ ଓଟିଏମ ଶ୍ରମିକ ସେମାନଙ୍କ ପ୍ରାପ୍ୟ ପାଇବାକୁ ଯାଉଛନ୍ତି ବୋଲି କହିଛନ୍ତି । ମାତ୍ର ଏବେ ଓଟିଏମ କଲୋନୀରେ ବସ ବାସ କରୁଥିବା ହଜାର ହଜାର ଶ୍ରମିକ ପରିବାର ସେହି କଲୋନୀରେ ରହିବେ ନା ସେମାନଙ୍କୁ ବିସ୍ତାପିତ ହେବାକୁ ପଡ଼ିବ ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିନାହିଁ ।