ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ି ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ସିଏମଓ ମୁଖ୍ୟ ଉପଦେଷ୍ଟା

ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ି ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ସିଏମଓ ମୁଖ୍ୟ ଉପଦେଷ୍ଟା

ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ି ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ସିଏମଓ ମୁଖ୍ୟ ଉପଦେଷ୍ଟା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ତାଙ୍କର ଅନୁରୋଧକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏହାସହିତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୧ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଶ୍ରୀ ମହାପାତ୍ରଙ୍କ ଇସ୍ତଫାକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଧ୍ୟକ୍ଷ ପଦ ଛାଡ଼ିବାର ମାତ୍ର କିଛିଘଣ୍ଟା ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଆର. ବାଲକ୍ରିଷ୍ଣନ ପୂର୍ବଭଳି ମୁଖ୍ୟସଚିବ ପାହ୍ୟାରେ ମୁଖ୍ୟ ଉପଦେଷ୍ଟା(ସ୍ପେଶାଲ ଇନସିଏଟିଭସ) ଭାବେ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି ।
ସେହିପରି ଅବସରପ୍ରାପ୍ତ ଆଇଏଏସ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ସେ କେବଳ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳିଥିବା ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ହୋଇଥାନ୍ତା । ମାତ୍ର ଅପ୍ରତ୍ୟାଶିତ ଘଟଣାକ୍ରମରେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଓଇଆରସି ଅଧ୍ୟକ୍ଷ ପଦରୁ ଓହରି ଯାଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସରକାର ପୂର୍ବରୁ ଶ୍ରୀ ମହାପାତ୍ରଙ୍କର ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳକୁ ଦୁଇ ଥରରେ ଏକବର୍ଷ ବୃଦ୍ଧି କରିଥିଲେ । ଏହାସହିତ ତାଙ୍କୁ ଦୃଷ୍ଟିରେ ରଖି ଓଇଆରସି ଅଧ୍ୟକ୍ଷ ପଦ ମଧ୍ୟ ପ୍ରାୟ ଏକବର୍ଷ ଧରି ଖାଲି ରଖିଥିଲେ । ସେ ମାତ୍ର ୮ମାସ ଓଇଆରସି ଅଧ୍ୟକ୍ଷ ପଦରେ କାର୍ଯ୍ୟ କରି ଇସ୍ତଫା ଦେଇଛନ୍ତି । ତେବେ ଶ୍ରୀ ମହାପାତ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ପୁଣିଥରେ ପ୍ରାର୍ଥୀ ହେବାକୁ ଅନିଚ୍ଛୁକ ଥିବାରୁ ଶ୍ରୀ ମହାପାତ୍ରଙ୍କୁ ପୁରୀ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଓହରିବା ନିମନ୍ତେ ସବୁଜ ସଙ୍କେତ ଦିଆଯାଇଥିବା ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ