ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ
କଟକ(ଏନ୍.ଏମ୍.): କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ । ସୋମବାର ଭୋରୁ କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକୁ ବୁଲି ଦେଖିବା ସହ କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଏସିସିବି ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କରିବା ପରେ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ ୫ଟି ସଚିବ । ଶେଷରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି କରିପାରିବେ ନାହିଁ, ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଛତ୍ରବଜାର ପୋଲର ମଧ୍ୟ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ୫ଟି ସଚିବଙ୍କ ଗସ୍ତ ପରେ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ଯେ, ସ୍ଥିର ହୋଇଥିବା ସମୟ ମଧ୍ୟରେ ଶେଷ ହେବ ସମସ୍ତ କାର୍ଯ୍ୟ । ୩୧ଡିସେମ୍ବର ୨୦୨୩ ସୁଦ୍ଧା ଏସସିବି ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବ । ବ୍ଲକ-୧ ଏବଂ ବ୍ଲକ-୪ର କାମ ତୁରନ୍ତ ଶେଷ କରିବାକୁ ଫାଇପ ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ଏସସିବି ପବ୍ଲିକ ସ୍କୁଲ କାମ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବା ସହ ଡିସେମ୍ବର ୨୦୨୨ ସୁଦ୍ଧା ଅର୍ବାନ ହାଟ କାମ ଶେଷ କରିବାପାଇଁ ଫାଇପ-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ଏହାସହ ପାର୍କିଂ ସ୍ଥାନ ଓ କେନାଲ ରୋଡ କାମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ୭୫ବର୍ଷ ତଳେ ନିର୍ମିତ ହୋଇଥିବା ଏସସିବି ମେଡ଼ିକାଲର ରୂପାନ୍ତରଣ ସହ ଏଠାରେ ଚିକିତ୍ସା ସୁବିଧାକୁ ବିକଶିତ କରିବା ଆବଶ୍ୟକତା ଥିବାରୁ ୧୭୫ ଏକର ଜମିରେ ୩୫୦୦କୋଟି ଟଙ୍କାରେ ଏସସିବି ମେଡ଼ିକାଲର ଉନ୍ନତି କରଣ ଚାଲିଛି । ଯାହା ରୋଗୀଙ୍କୁ ଏଆଇଆଇଏମଏସ ପ୍ଲସ ସୁବିଧା ମିଳିପାରିବ । ଏଥି ସହିତ ରୋଗୀ ସମ୍ପର୍କୀୟଙ୍କ ନିମନ୍ତେ ଧର୍ମଶାଳା ଓ ବଜେଟ ହୋଟେଲ କାର୍ଯ୍ୟ ଆରମ୍ଭ କରିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ୱ ଦେଇଥିଲେ । ବଡ଼ ଡାକ୍ତରଖାନାରେ ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ୧୩ଟି ରେସିଡେନ୍ସିଆଲ ବ୍ଲକ ନିର୍ମାଣ କରାଯିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ଟିର କାମ ଆରମ୍ଭ ହୋଇଛି । ପୁନଶ୍ଚ ୩.୫ କିଲୋମିଟର ବ୍ୟାପି ତାଳଦଣ୍ଡା କେନାଲ ରାସ୍ତାର ବିକାଶ କାମକୁ ୧୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ସହରର ଶେଷ ସୀମା ପର୍ଯ୍ୟନ୍ତ ବିକଶିତ କରିବା ପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ତେବେ ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ କଟକ ବଡ଼ ମେଡିକାଲର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ । ଏଥିସହିତ ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାର୍ଶ୍ୱରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା । କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ଼ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ଏସବୁ କାମ ଚାଲୁ ରହିଥିବା ବେଳେ ଏହାର ସମୀକ୍ଷା କରି ଠିକ୍ ଭାବେ କାମ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଜିଲ୍ଲପାଳ ଡକ୍ଟର ଭବାନୀଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପ୍ରମୁଖ ବହୁ ଅଧିକାରୀ ଉପସ୍ଥିତଥିଲେ ।