ଏସସିବି ରଚିଲା ପୁଣି ଏକ ଇତିହାସ; ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ

ଏସସିବି ରଚିଲା ପୁଣି ଏକ ଇତିହାସ; ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ

ଏସସିବି ରଚିଲା ପୁଣି ଏକ ଇତିହାସ
୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି) ବୁଧବାର ପୁଣି ଏକ ଇତିହାସ ରଚିଛି । ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ହେମାଟୋଲୋଜି(ରକ୍ତରୋଗ) ବିଭାଗରେ ୧୦୦ଜଣଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ(ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) ସଫଳତାର ସହିତ ସମ୍ପନ୍ନ କରି ଏସସିବି ସଫଳତାର ଇତିହାସରେ ଆଉ ଏକ ନୂଆଫର୍ଦ୍ଦ ଯୋଡି ହୋଇଛି । ୧୦୦ତମ ରୋଗୀଭାବେ ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଯାହା ଏସସିବିର ଏହି ମାଇଲଷ୍ଟୋନରେ ସାକ୍ଷୀ ହୋଇ ରହିବ । ପ୍ରତିରୋପଣ ପରେ ସେ ସୁସ୍ଥ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ପୂର୍ବତନ ବିଧାୟକ ଜାକବ ପ୍ରଧାନ ରକ୍ତକର୍କଟରେ ଆକ୍ରାନ୍ତ ହୋଇ ୨୦୨୨ ମାର୍ଚ୍ଚ ୧୫ ତାରିଖରେ ଏସସିବିର ହେମାଟୋଲୋଜି ବିଭାଗରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ବିଭିନ୍ନ ପରୀକ୍ଷା ସେ ମଲଟିପୁଲ ମାଇଲୋମାରେ ପୀଡିତ ଥିବା ସହ ମଧୁମେହ ସମେତ ଏକାଧିକ ରୋଗରେ ପୀଡିତ ଥିଲେ । ଜାକବଙ୍କର ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାକୁ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରବିନ୍ଦ୍ର କୁମାର ଜେନା ନିଷ୍ପତ୍ତି ନେଇଥିଲେ । ଏହାପରେ ଡା. ଜେନା ତାଙ୍କର ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରାୟ ୭ଦିନ ଧରି ଜାକବଙ୍କ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବା ପରେ ବୁଧବାର ତାଙ୍କର ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହିତ ଶେଷ ହୋଇଥିଲା । ଏହି ପ୍ରତିରୋପଣରେ ବିଭାଗୀୟ ମୁଖ୍ୟ ଡା. ଜେନାଙ୍କ ସହିତ ଡା.ଏସ. ସେଠୀ, ଡା. ଆର.କେ.ନାୟକ, ଡା. ଏମ.ଏମ. ବିଶ୍ୱାଳ, ଡା. ଡି. ପୃଷ୍ଟିଙ୍କ ସହିତ ସେବିକା ସ୍ନେହଲତା ମଙ୍ଗରାଜ, ଅନ୍ନପୂର୍ଣ୍ଣା ସାମଲ, ରଞ୍ଜିତା ଜେନା ପ୍ରମୁଖ ସହାୟତା କହିଥିଲେ । ଟ୍ରାନ୍ସପ୍ଳାଣ୍ଟ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ତାଙ୍କର ଏହି ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।
୨୦୧୪ରେ ହେମାଟୋଲୋଜି ବିଭାଗରେ ରକ୍ତ ଓ ଅସ୍ଥିମଜ୍ଜା ଅସ୍ତ୍ରୋପଚାର ୟୁନିଟକୁ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏଥିଲାଗି ରାଜ୍ୟ ସରକାର ୧.୫କୋଟି ଟଙ୍କାର ଯୋଗାଇ ଦେଇଥିଲେ । ଉକ୍ତ ଅର୍ଥରେ ହେମାଟୋଲୋଜି ବିଭାଗରେ ଅଟୋଲୋଗୋସ ବିଏମଟି ମେସିନ ଏବଂ ଆଲୋଜେନିକ ବିଏମଟି ଅସ୍ତ୍ରୋପଚାର ଲାଗି ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାପନ କରାଯାଇଥିଲା । ରକ୍ତ ଓ ଅସ୍ଥିମଜ୍ଜା ପ୍ରତିରୋପଣ ହେଉଥିବା ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅବଜରଭେସନରେ ରହିବା ଲାଗି ୨ଟି ସ୍ୱତନ୍ତ୍ର କୋଠରୀ ତିଆରି ହୋଇଛି । ୨୦୧୪ରେ ପ୍ରଥମଥର ଲାଗି ଏସସିବି ହେମାଟୋଲୋଜି ବିଭାଗରେ ପ୍ରଥମେ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହୋଇଥିଲା । ପ୍ରଥମ ରୋଗୀଭାବେ କେନ୍ଦ୍ରାପଡା ଜିଲାର ଶକୁନ୍ତଳା ସାହୁଙ୍କର ବୋନମ୍ୟାରୋ ଟ୍ରାନ୍ସ ପ୍ଲାଣ୍ଟ କରାଯାଇଥିଲା । ଟ୍ରାନ୍ସପ୍ଲାଣ୍ଟ ପରେ ବର୍ତ୍ତମାନ ସେ ସୁସ୍ଥ ରହିଥିବା ଜଣାପଡିଛି । ଏସସିବିରେ ଏ ପର୍ଯ୍ୟନ୍ତ ୧୦୦ଜଣ ରକ୍ତ କର୍କଟରୋଗୀଙ୍କ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇସାରିଲାଣି । ରାଜ୍ୟ ବାହାରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଅସ୍ଥିମଜ୍ଜା ପ୍ରତିରୋପଣ ନିମନ୍ତେ ୧୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ହେଲେ ରାଜ୍ୟ ସରକାରଙ୍କ ସହଯୋଗରେ ସମ୍ପୂର୍ଣ୍ଣ ମାଗଣାରେ ଏସସିବିରେ ଏହି ଚିକିତ୍ସା ସେବା ମିଳୁଛି । ୬୫ବର୍ଷରୁ ଅଧିକ ବୟସ ଲୋକଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ କରି ଏସସିବି ଜାତୀୟ ସ୍ତରର ରେକର୍ଡ ମଧ୍ୟ ସୃଷ୍ଟି କରିଛି । ୭୪ବର୍ଷୀୟ ବୃଦ୍ଧ ଜୁବେର ଖାନଙ୍କର ୨୦୧୫ ଫେବ୍ରୁଆରୀ ୨୧ରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲା । ପୂର୍ବଭାରତରେ ଅସ୍ଥିମଜ୍ଜା ପ୍ରତିରୋପଣ କ୍ଷେତ୍ରରେ କୋଲକାତାର ଘରୋଇ ହସ୍ପିଟାଲ ଟାଟା ମେଡିକାଲ ସେଣ୍ଟର ପଛକୁ ଏସସିବି ଦ୍ୱିତୀୟ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏସସିବିରେ କିଡନୀ ପ୍ରତିରୋପଣ ସଫଳତାର ସହ ଚାଲିଛି । ଏ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ କିଡନୀ ପ୍ରତିରୋପଣ ଶେଷ ହୋଇସାରିଲାଣି । ବିନା ମୂଲ୍ୟରେ ଏଠାରେ ଏହି ସୁବିଧା ମିଳୁଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ରୋଗୀ କିଡନୀ ପ୍ରତିରୋପଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ୩୦ରୁ ଊର୍ଦ୍ଧ୍ୱ ରୋଗୀ ପ୍ରତିରୋପଣ ଲାଗି ନାମ ପଞ୍ଜୀକରଣ କରିଥିବା ଜଣାପଡିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ