ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ

ଭୁବନେଶ୍ୱର(ଏନ.ଏମ୍.): ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ନିଶା କାରବାର । କମିଶନରେଟ ପୁଲିସ ଓ ଅବକାରୀ ବିଭାଗର ଘନଘନ ଚଢ଼ାଉ ସତ୍ତ୍ୱେ ବି ନିଶା ବେପାରୀଙ୍କ କାରବାର ବୃଦ୍ଧି ବିଭାଗର ମୁଣ୍ଡବିନ୍ଧାକୁ ବଢ଼ାଇ ଦେଇଛି । ଇତି ମଧ୍ୟ କଟକ ଭୁବନେଶ୍ୱର କମିଶନରେଟ ପୁଲିସ ଓ ଅବକାରୀ ବିଭାଗ ରେକର୍ଡ ସଂଖ୍ୟକ ବେଆଇନ ନିଶା ଦ୍ରବ୍ୟ ଜବତ କରିଥିବାବେଳେ ବହୁ ନିଶା ବ୍ୟବସାୟୀଙ୍କୁ ଗିରଫ କରି ଏକ ସଫଳତା ହାସଲ କରିଛି । ତଥାପି ନିଶାକାରବାର ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ସଫଳତା ପାଇ ପାରିନଥିବା ଜଣାପଡ଼ିଛି । ଭୁବନେଶ୍ୱର ଗୁଇନ୍ଦା ସଂସ୍ଥା ଆଜି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱର ଏମସ ନିକଟରେ ଭୁବନେଶ୍ୱର ଏସଟିଏଫ ଦଳ ଚଢ଼ାଉ କରିଥିଲା । ତେବେ ନାର୍କୋଟିକ୍ ଡ୍ରଗ୍ସର ବେଆଇନ କାରବାର ନେଇ ଜଣାପଡ଼ିବା ପରେ ଏହି ଘଟଣାରେ ୩ଜଣ ଡ୍ରଗ୍ ବେପାରୀଙ୍କୁ ଧରାଯାଇଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ତମାଣ୍ଡୋ ଥାନା ଅନ୍ତର୍ଗତ ରଣସିଂହପୁରର ଭାଗୀରଥୀ ଭଟ୍ଟ ଓରଫ ଭାଗା, ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଚିତ୍ତଳପୁର ଅଞ୍ଚଳର ବିଶ୍ୱଜିତ ନାୟକ, ଖଣ୍ଡଗିରିଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥ ନଗରର ଚନ୍ଦନ ମଲ୍ଲିକ୍ ରହିଛନ୍ତି ।
ସୂଚନା ଅନୁଯାୟୀ, ଏହି ଟିମ ଚଢ଼ାଉ ସମୟରେ ସେଠାରୁ ୨ କିଲୋଗ୍ରାମ ୫୮ ଗ୍ରାମ ଓଜନର ନିଷେଧାଦେଶ ବ୍ରାଉନ୍ ସୁଗାର ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ସେମାନଙ୍କ ନିକଟରୁ ଜବତ କରାଯାଇଥିଲା । ଏ ନେଇ ଏସଟିଏଫ ପୁଲିସ କେସ ନମ୍ବର୧୪/୨୨ରେ ଭାରତୀୟ ପିଙ୍ଗଳ କୋର୍ଡ଼ ଦଫା ୨୧(ସି), ଏଡିପିଏସ ଆଇନ ୧୯୮୫ର ଧାରା ୨୯ରେ ଗିରଫ କରାଯାଇ ଅଭିଯୁକ୍ତମାନଙ୍କୁ ଜିଲ୍ଲା ଏବଂ ସେସନ୍ସ ତଥା ସ୍ପେଶାଲ ଜର୍ଜଙ୍କ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଯାଇଥିଲା । ତେବେ ବିଭାଗ ପକ୍ଷରୁ ନାର୍କୋଟିକ୍ ଡ୍ରଗ୍ସ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରହିଛି । ୨୦୨୦ ମସିହା ପରଠାରୁ, ଏସଟିଏଫ ୫୪ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର/ହିରୋଇନ୍, ୨୦୨ ଗ୍ରାମ କୋକେନ୍ ଏବଂ ୧୦୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ଭାଙ୍ଗ, ୭୫୦ ଗ୍ରାମ ଅଫିମ ଜବତ କରାଯାଇଛି । ତେବେ ବେଆଇନ ନିଶାକାରବାର ଅପରାଧରେ ଆଜି ପର୍ଯ୍ୟନ୍ତ ୧୫୦ ରୁ ଅଧିକ ଡ୍ରଗ୍ ଡିଲର ଓ ବେପାରୀଙ୍କୁ ଗିରଫ କରାଯାଇଛି ।