ଏନଆରଆରଆଇର ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ
କଟକ(ଏନ୍.ଏମ୍.): ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ)ରେ ନୂତନ ନିର୍ଦ୍ଦେଶକ ଭାବେ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡକ୍ଟର ପଦ୍ମିନୀ ସ୍ୱାଇଁ, ଗତ କାଲି ଅଗଷ୍ଟ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ । ଅନୁଷ୍ଠାନର ୭୬ ବର୍ଷର ଦୀର୍ଘଯାତ୍ରାରେ ଡକ୍ଟର ପାତ୍ର ୨୬ ତମ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୂବନେଶ୍ୱରର ପୂର୍ବତନ ଛାତ୍ର, ଯେଉଁ ଠାରେ ସେ ଯଥାକ୍ରମେ ୧୯୮୨ ମସିହାରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ୧୯୮୯ ମସିହାରେ (ଉଦ୍ଭିଦ ଟ୍ୟାକ୍ସୋନୋମି) ରେ ପି.ଏଚ୍.ଡି ହାସଲ କରିଥିଲେ । ତାଙ୍କର ଏକ ଭଲ ଏକାଡେମିକ୍ କ୍ୟାରିଅର୍ ଅଛି । ସେ ୧୯୮୬ ମସିହାରେ ସର୍ବଭାରତୀୟସ୍ତରରେ ହେଉଥିବା କୃଷି ଅନୁସନ୍ଧାନ ସେବା ପରୀକ୍ଷାରେ ଇକୋନୋମିକ ବଟାନୀ ବିଷୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ୧୯୯୦ ମସିହାରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ବୈଜ୍ଞାନିକ ଭାବରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ, ୧୯୯୯ ରେ ବରିଷ୍ଠ ବୈଜ୍ଞାନିକ ଏବଂ ୨୦୦୭ ରେ ସେ ପ୍ରଧାନ ବୈଜ୍ଞାନିକ ଭାବରେ ପଦୋନ୍ନିତ ପାଇଥିଲେ । ୨୦୧୯ ମସିହାରେ ସେ ଫସଲ ଉନ୍ନୟନ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର ୧୯୬୧ ମସିହା ୧୧ ଜୁନ୍ରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୬ ମସିହାରେ ସେ ବାଲେଶ୍ୱର ସ୍ଥିତ ଅଯୋଧ୍ୟା ହାଇସ୍କୁଲରୁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୦ ମସିହାରେ ଫକୀର ମୋହନ କଲେଜ, ବାଲେଶ୍ୱରରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଡକ୍ଟର ପାତ୍ର ଇକୋନୋମିକ ବଟାନୀ କ୍ଷେତ୍ରରେ ଜଣେ ବିଶିଷ୍ଟ ବୈଜ୍ଞାନିକ ଯାହାଙ୍କର ନେତୃତ୍ୱରେ ଅନୁଷ୍ଠାନ ଏକ ନୂତନ ଉଚ୍ଚତାକୁ ସ୍ପର୍ଶ କରିବ ବୋଲି ଅଶା କରାଯାଉଛି ।