ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ
#କଟକ(ଏନ୍.ଏମ୍.): ଏଏସଓ ପରୀକ୍ଷା ମେରିଟ ଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଛନ୍ତି । ପୂରା ଜଜମେଣ୍ଟ କପି ଆସିବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଲିଖିତ ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ମାସରେ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା । ଏହି ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ମାସରେ ଓପିଏସସି ମେରିଟ୍ ଲିଷ୍ଟ ପ୍ରକାଶ କରିବା ପରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବା ଅଭିଯୋଗ କରି ଏହା ବିରୋଧରେ ହାଇକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା । ସେଗୁଡ଼ିକର ବିଚାର କରି ହାଇକୋର୍ଟ ଓପିଏସସି ପକ୍ଷରୁ ଜାରି କରାଯାଇଥିବା ମେରିଟ ଲିଷ୍ଟକୁ ଖାରଜ କରି ଦିଆଯାଇଛି । ରାୟ ପ୍ରକାଶ କରିବା ବେଳେ ହାଇକୋର୍ଟ କହିଥିଲେ ଯେ, ପ୍ରତି ସବଜେକ୍ଟ ପାଇଁ ଯେଉଁ କ୍ୱାଲିଫାଇଂ ମାର୍କ ଚୂଡ଼ାନ୍ତ କରାଯାଇଛି ଓ ସେହି ଅନୁସାରେ ଯେଉଁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି, ତାହା ଠିକ୍ ନୁହେଁ । କାରଣ କ୍ୱାଲିଫାଇଂ ମାର୍କ କେତେ ରହିବ, ତାହା ଓଡ଼ିଶା ସେକ୍ରେଟେରିଏଟ ସର୍ଭିସ୍ ରିକ୍ର୍ୟୁଟମେଣ୍ଟ ରୁଲସରେ ନାହିଁ । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗ ନେଇ ଓପିଏସସିର ପ୍ରତିକ୍ରିୟା ମିଳିପାରି ନାହିଁ ।