ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ

ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ

ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ଏଏସଓ ପରୀକ୍ଷାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରୀକ୍ଷା ପରିଚାଳନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି । ଏହି ପ୍ରସଙ୍ଗ ଉପରେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା ସନ୍ଦେହକୁ ଅଧିକ ବଢ଼ାଉଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ସେହିଭଳି ରାଜ୍ୟ ସରକାର ସବୁ କ୍ଷେତ୍ରରେ ‘ଫାଇଭ-ଟି’ ଓ ପାରଦର୍ଶିତା କଥା କହୁଥିଲେ ମଧ୍ୟ ସରକାରୀ ନିଯୁକ୍ତି ସଂସ୍ଥା ‘ଓଡ଼ିଶା ଲୋକସେବା ଆୟୋଗ’(ଓପିଏସସି)ର ପରୀକ୍ଷା ପରିଚାଳନାର ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ଚାକିରି ଆଶାୟୀ ହଜାର ହଜାର ଯୁବକଯୁବତୀ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଆଉ ଗତ ୩ଦିନ ଧରି ସୋସିଆଲ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମରେ ଓପିଏସସି ଦ୍ୱାରା ହୋଇଥିବା ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ଦୁର୍ନୀତିକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଅଭିଯୋଗ କରୁଥିଲାବେଳେ ଓପିଏସସି କର୍ତ୍ତୃପକ୍ଷ ନିରବ ରହିବା ପରୋକ୍ଷରେ ସାଧାରଣରେ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି ।
ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ଓପିଏସସି କର୍ତ୍ତୃପକ୍ଷ ୭୯୬ଟି ଏଏସଓ ପଦବୀ ନିମନ୍ତେ ଲିଖିତ ପରୀକ୍ଷା କରିଥିଲେ । ଗତ ସୋମବାର ଏହାର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ପ୍ରକାଶିତ ଫଳରୁ ଜଣାପଡ଼ିଛି । ସେମାନଙ୍କୁ ନଭେମ୍ବର ୧୪ରୁ ଡକ୍ୟୁମେଣ୍ଟ ଯାଞ୍ଚ ଓ ୨୭ରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଦେବାକୁ ଓପିଏସସି ପକ୍ଷରୁ କୁହାଯାଇଛି । ମାତ୍ର ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହଜାର ହଜାର ପରୀକ୍ଷାର୍ଥୀ ନିଜର ଅସନ୍ତୋଷ ବ୍ୟକ୍ତ କରି କେଉଁ ଆଧାରରେ ସେମାନଙ୍କୁ ବାଦ୍ ଦିଆଯାଇଛି ତାହା ଜାଣିବାକୁ ଦାବି କରିଛନ୍ତି । ଏଏସଓ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ସେମାନେ ଭୁବନେଶ୍ୱରରେ ଓପିଏସସି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓପିଏସସି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଭେଟି ତୁରନ୍ତ ଉତ୍ତର ସିଟ୍ ସାର୍ବଜନୀନ ପାଇଁ ଦାବି କରିଛନ୍ତି । ଏହାସହିତ କେତେ ପ୍ରତିଶତ କଟଅଫ୍ ମାର୍କ ରଖାଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି । ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, କିଛି ପରୀକ୍ଷାର୍ଥୀ ବିଲକୁଲ୍ ପରୀକ୍ଷା ନଦେଇ ମଧ୍ୟ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି । ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସବୁ ଅନଲାଇନ ମୋଡରେ ହେଉଥିବାବେଳେ ଓପିଏସସି କର୍ତ୍ତୃପକ୍ଷ କାହିଁକି ଅଫଲାଇନରେ ପରୀକ୍ଷା କରୁଛନ୍ତି । ତା’ଛଡ଼ା ପରୀକ୍ଷାରେ ଉପଯୋଗ ହେଉଥିବା ଓଏମଆର ସିଟକୁ ସାର୍ବଜନୀନ କରିବାରେ ଅସୁବିଧା କେଉଁଠି ରହିଛି ବୋଲି ପ୍ରଶ୍ନ କରାଯାଇଛି । ପୁନଶ୍ଚ ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷାକୁ ଅବଜେକ୍ଟିଭ୍ ଟାଇପ୍ ଓ ମଲଟିପୁଲ ଚଏସ ଫର୍ମାଟରେ କରୁଥିବାବେଳେ ଏହାକୁ ଅନଲାଇନରେ କରିବା ଅବା ଏହାର ଉତ୍ତର ସିଟକୁ ସାର୍ବଜନୀନ କରିବାରେ ସମସ୍ୟା କେଉଁଠି ବୋଲି ଆନ୍ଦୋଳନରତ ପିଲାମାନେ ଦାବି କରିଛନ୍ତି । କେତେକ ପିଲା ଏଏସଓ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଦାବି କରିଛନ୍ତି । ସେମାନେ ଏହି ଚାକିରି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଓପିଏସସିରେ ଦୁର୍ନୀତି ଯୋଗୁ ଭଲ ପ୍ରାର୍ଥୀମାନେ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ଟ୍ୱିଟରରେ ଏନେଇ ଆଶାୟୀମାନେ ନିଜର କ୍ଷୋଭ ବ୍ୟକ୍ତ କରିବା ସହ ଓପିଏସସିଙ୍କ ପରୀକ୍ଷା ପରିଚାଳନାରେ ରହିଥିବା ତ୍ରୁଟିକୁ ଉଜାଗର କରିଛନ୍ତି । ଅନ୍ୟପକ୍ଷରେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିଲେ ମଧ୍ୟ ହଜାର ହଜାର କୋମଳମତି ପିଲାମାନଙ୍କ ସନ୍ଦେହ ଓ ଅଭିଯୋଗକୁ ଦୂର କରିବାକୁ ଆଗ୍ରହ ନଦେଖାଇବା ପରୋକ୍ଷରେ ସନ୍ଦେହ ବଢ଼ାଇଛି । କୃତକାର୍ଯ୍ୟ ହୋଇନଥିବା ପରୀକ୍ଷାର୍ଥୀମାନେ ଯେଉଁ ସବୁ ପ୍ରସଙ୍ଗରେ ଅଭିଯୋଗ ଆଣୁଛନ୍ତି, ତା’ଉପରେ ଓପିଏସସି କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖି ଅବା କଟଅଫ୍ ମାର୍କ ଓ ଉତ୍ତର ସିଟକୁ ସାର୍ବଜନୀନ କରି ଓପିଏସସି ନିଜର ସ୍ୱଚ୍ଛତା ପ୍ରତିପାଦନ କରିବାରେ ଅସୁବିଧା କେଉଁଠି ବୋଲି ପରୀକ୍ଷାର୍ଥୀମାନେ ପ୍ରଶ୍ନ କରିଛନ୍ତି । ତା’ଛଡ଼ା ଡିଜିଟାଲ ଯୁଗରେ ଓପିଏସସି କର୍ତ୍ତୃପକ୍ଷ ବିଭିନ୍ନ ପରୀକ୍ଷାକୁ ଅନଲାଇନ୍ ମୋଡରେ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାହା ଏବେବି ରହସ୍ୟ ଘେରରେ ବୋଲି ଚର୍ଚ୍ଚା ହେଉଛି । ତେବେ ଶ୍ରୀ ମହାନ୍ତିଙ୍କ ଭଳି ଜଣେ ସଚ୍ଚୋଟ ଅଧିକାରୀ ଜୀବନସାରା ଭଲକାମ କରି ରାଜ୍ୟରେ ସୁନାମ ଆଣିଥିବାବେଳେ ଏବେ କିଭଳି ଓ କାହା ଚାପରେ ଏମିତି କରିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ତେଣୁ ପିଲାମାନଙ୍କ ଭବିଷ୍ୟତ ସହ ନଖେଳି ଓପିଏସସି କର୍ତ୍ତୃପକ୍ଷ ତୁରନ୍ତ ଏଏସଓ ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଏକ ସ୍ପଷ୍ଟୀକରଣ ଜାରି କରିବାକୁ ସାଧାରଣରେ ଦାବି ହେଉଛି । ଏଥି ସହିତ ରାଜ୍ୟସରକାରଙ୍କ ଫାଇଭ-ଟି ଏ ନେଇ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି