ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ
ଭୁବନେଶ୍ୱର (ଏନ୍.ଏମ୍.): ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ ।
ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ । ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ । ଯେଉଁ ଶ୍ରମିକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା । ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଗତ କାଲି ସେମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ସାକ୍ଷାତ ସମୟରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇ ଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରିଥିଲେ । ଏହି ସମୟରେ ଶ୍ରମ କମିଶନର ମଧ୍ୟ ଉପସ୍ଥିତ ଥିଲେ ।