କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ନିଆରା ପ୍ରୟାସ
ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ
#କଟକ(ଏନ୍.ଏମ୍.): କଟକର ମାରିଟାଇମ ମ୍ୟୁଜିୟମ(ନୌବାଣିଜ୍ୟ ସଂଗ୍ରହାଳୟ) ତତ୍କାଳୀନ ଉତ୍କଳ ବା କଳିଙ୍ଗର ନୌବାଣିଜ୍ୟର ସ୍ମାରକୀକୁ ସାଇତି ରଖିଛି । ଏହି ନୌବାଣିଜ୍ୟ ସଂଗ୍ରହାଳୟରେ ସେତେବେଳେ କିଭଳି ନୌବାଣିଜ୍ୟ ଚାଲୁଥିଲା, କିଭଳି ସାଗର ଭେଦ କରି କଳିଙ୍ଗର ସାଧବମାନେ ଯାଭା, ସୁମାତ୍ରା ବାର୍ଲି ଆଦି ଦୀପକୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ ତାହାର କିଛି ନମୂନା ମଧ୍ୟ ସଂରକ୍ଷିତ ରଖାଯାଇଛି । ଏଥି ସହିତ କଳିଙ୍ଗ ଓ ଇଣ୍ଡୋନେସିଆର କେବଳ ବାଣିଜ୍ୟିକ ସମ୍ପର୍କ ନୁହେଁ କଳା, ସଂସ୍କୃତିର ସମନ୍ୱୟର ନିଦର୍ଶନ ମଧ୍ୟ ଦେଖିବାକୁ ମିଳେ । ତେଣୁ ଏହି ସଂଗ୍ରହାଳୟଟି ସମ୍ପ୍ରତି ଓଡ଼ିଶା ସହିତ ଇଣ୍ଡୋନେସିଆର ଅତୀତର ସୁସମ୍ପର୍କର ଗାଥା ଗାନ କରିଥାଏ । ଯାହା ଦ୍ୱାରା ଇଣ୍ଡୋନେସିଆବାସୀଙ୍କୁ ଏହା ଆକୃଷ୍ଟ କରିଥାଏ । ଯେତେବେଳେ ଇଣ୍ଡୋନେସିଆରୁ କୌଣସି ଅଧିକାରୀ ଓଡ଼ିଶା ଆସନ୍ତି କଟକର ମାରିଟାଇମ ମ୍ୟୁଜିୟମ ପରିଦର୍ଶନରେ ଆସିଥାନ୍ତି । ସେହିଭଳି ଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିବା ଡୋନା ଏବଂ ତାଙ୍କର ପତ୍ନୀ ଆଜି କଟକର ମାରିଟାଇମ୍ ମ୍ୟୁଜିୟମ ପରିଦର୍ଶନ କରିଛନ୍ତି । ଓଡ଼ିଶାର ଇଣ୍ଡୋନେସିଆ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ସହିତ ପୁରୁଣା କାଳରୁ ନୌବାଣିଜ୍ୟ ସମ୍ପର୍କ ରହିଥିଲା, ତେଣୁ ଏହି ସମ୍ପର୍କର ଅନେକ ସ୍ମୃତି କଟକ ମାରିଟାଇମ୍ ମ୍ୟୁଜିୟମରେ ସଂରକ୍ଷିତ ହୋଇ ରହିଛି । ଦୂତାବାସର ବାଣିଜ୍ୟିକ ଅଧିକାରୀ ଏହି ସ୍ମୃତି ସବୁ ବୁଲି ଦେଖିବା ସହ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ନୌବାଣିଜ୍ୟ ସମ୍ପର୍କରେ ପଚାରି ବୁଝଥିଲେ । ଏହି ଆଧାରରେ ଏବେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ କିଭଳି ବାଣିଜ୍ୟିକ ସମ୍ପର୍କକୁ ପୁନର୍ଜିବୀତ କରାଯାଇ ପାରିବ, ସେ ନେଇ ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀ ଶ୍ରୀ ଡୋନା କହିଥିଲେ । କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଇଣ୍ଡୋନେସିଆ ଦୂତାବାସର ଅଧିକାରୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ ଓଡିଶା କନକ୍ଲେଭରେ ଯୋଗ ଦେବା ପାଇଁ ଓଡିଶା ଆସିଥିବାବେଳେ ଏହି ସଂଗ୍ରହାଳୟକୁ ବୁଲିଛନ୍ତି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ରୋଟାରିଆନ ଡକ୍ଟର ବିଭୁପ୍ରସାଦ ସ୍ୱାଇଁ, ଜଳସମ୍ପଦ ବିଭାଗ ଅଧିକାରୀ ମଳୟ କୁମାର ସାହୁ, ଓରମାସ ସିଇଓ ବିପିନ ରାଉତ ପ୍ରମୁଖ ଉପସ୍ଥିତଥିଲେ ।