ଇଚ୍ଛାପୁର ଗ୍ରାମ ପାହାଡରୁ ଚୋରାରେ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି
ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ଅଧିନ ଖଳିସାହି ପଞ୍ଚାୟତର ଇଚ୍ଛାପୁର ଗ୍ରାମ ନିକଟସ୍ଥ ପାହାଡରୁ ମାଫିଆମାନେ ଆଖପାଖ ଅଞ୍ଚଳକୁ ଅବାଧରେ ମୋରମ ଚାଲାଣ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଚୋରାରେ ମୋରମ ଚାଲାଣ ଯୋଗୁଁ ପାହାଡ ଓ ତତ୍ସଂଲଗ୍ନ ସଂରକ୍ଷିତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳର ପରିବେଶବିତମାନେ ଏ ନେଇ ଉଦ୍ବେଗ ପ୍ରକାଶ କରିବା ସହ ତହସିଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାଫିଆମାନେ ମୋରମ ଚାଲାଣ କରି ମୋଟା ଅଙ୍କର ଅର୍ଥ ଆୟ କରୁଥିବା ବେଳେ ଖଣ୍ଡପଡା ତହସିଲ କର୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ରାଜ୍ୟ ସରକାର ରାଜସ୍ୱ ହରାଉଥିବା ଜଣାପଡିଛି । ଲଘୁ ଖଣିଜ ସଂପଦର ଚୋରାଚାଲାଣ ରୋକିବା ନିମନ୍ତେ ରାଜ୍ୟ ସରକାର କଡାକଡି ଆଇନ କାନୁନ ପ୍ରଣୟନ କରିଥିଲେ ହେଁ ଖଣ୍ଡପଡା ତହସିଲ କର୍ତୃପକ୍ଷ ଏଥିପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ଉକ୍ତ ପାହାଡରୁ ମୋରମ ଚାଲାଣ ଯୋଗୁଁ ପାହାଡର ପାଦ ଦେଶରେ ଥିବା ବୃକ୍ଷରାଜି ଗୁଡିକ ସମୟାନୁକ୍ରମେ ନଷ୍ଟ ହେବାରେ ଲାଗିଛି । ଏଥିପ୍ରତି ଖଣ୍ଡପଡା ତହସିଲ ପ୍ରଶାସନ ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଇଚ୍ଛାପୁର ଗ୍ରାମର ଜନସାଧାରଣ ଦାବି କରିଛନ୍ତି ।