ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ

ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ

ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ

Photo By Padmalochan Mishra

କଟକ(ଏନ୍‌.ଏମ୍‌.): ସମ୍ଭାବ୍ୟ ବାତ୍ୟା ଆସାନି ମୁକାବିଲା ପାଇଁ ସରକାର ଓ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଏବେ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ସେଥିରେ କୋଭିଡ୍ ଗାଇଡଲାଇନ ପାଳନ କରି ପ୍ରାୟ ୧.୬୦ଲକ୍ଷ ଲୋକ ରହିପାରିବେ । ସେହିପରି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ୬୬୬୧ଟି କୋଠା ଚିହ୍ନଟ ହୋଇଛି । ସେଥିରେ ୬ଲକ୍ଷରୁ ଅଧିକ ଲୋକ ରହିପାରିବେ । ତେଣୁ ଆବଶ୍ୟକ ଅନୁସାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇସାରିଛି । ତେବେ କଟକକୁ ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ କଟକ ସହରରେ ଏଥିରୁ କିଭଳି ସହରବାସୀ ସୁରକ୍ଷା ଦେଇଦେବ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ମଧ୍ୟ ଜାରି ରହିଛି । ତେବେ ଏହି କାର୍ଯ୍ୟ କିଭଳି ଚାଲିଛି ସେ ନେଇ ଆଜି ସିଏମସି ମେୟର ସୁବାସ ସିଂହ ଘଟଣାସ୍ଥଳରେ ବୁଲି ସ୍ଥିତି ପରଖିଛନ୍ତି । କଟକ ସହରରୁ ତ୍ୱରିତ ଜଳ ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କଟକ ସହରରେ ଜାଇକା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟକୁ ମେୟର ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟ କରିବାକୁ ସେ ତାଗିଦ କରିଥିଲେ ।
ଗୋଟିଏ ପଟେ କଟକ ସହରରେ ଦୀର୍ଘ ବର୍ଷ ଧରି ଜାଇକା ପ୍ରକଳ୍ପ କାର୍ଯ୍ୟଚାଲିଥିବାବେଳେ ସବୁଆଡେ ଅଧାପନ୍ତରିଆ କାର୍ଯ୍ୟ ହୋଇଥିବା ଯୋଗୁଁ ସହରବାସୀ ଯେଉଁ ସମସ୍ୟା ଭୋଗ କରୁଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି । କଟକ ସହରବାସୀଙ୍କ ମୌଳିକ ସୁବିଧା ପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପ୍ରତି କଟକ ସହରରେ ବଡ଼ ନାଳ (ଏମଏସଡବ୍ଲୁ-୧ ଓ ୨)ରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବାତ୍ୟା ନିମନ୍ତେ ନାଳନର୍ଦ୍ଦମାଗୁଡ଼ିକୁ ତୁରନ୍ତ ସଫେଇ କରିବା ସହ ଜଳନିଷ୍କାସନ ବ୍ୟବସ୍ଥାକୁ ସୁଗମ କରିବା ନିମନ୍ତେ ମେୟର ଗୁରୁତ୍ୱ ଦେଇଛନ୍ତି । ଆଜି ସ୍ଥାନୀୟ ମାତୃଭବନ ନିକଟରେ ବଡ଼ନାଳ ସଫେଇ ଚାଲିଥିବାବେଳେ ସିଏମସି ଅଧିକାରୀ ଓ ଡେପୁଟି ମେୟରଙ୍କ ସହ ନିଜେ ମେୟର ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଥିଲେ । ମାତୃଭବନ ନିକଟରେ ସହରର ବର୍ଜଜଳ ନିଷ୍କାସନ ପାଇଁ ମୁଖ୍ୟ ସ୍ଲୁଇସଗେଟ ଥିବାରୁ ଏହି ବାଟେ ଉଦ୍‌ବୁଦ୍ଦ ଜଳ ନିଷ୍କାସନ ହୋଇଥାଏ । ମାତ୍ର ଏବେ ଏଠାରେ ପ୍ରବଳ ପଙ୍କ ରହି ସହରର ଜଳନିଷ୍କାସନରେ ବାଧକ ସାଜୁଥିବାରୁ ଏହାକୁ ହାଇବୁମ୍ ଜେସିବି ଏବଂ ଲୋକବଳ ଲଗାଇ ସଫେଇ କାର୍ଯ୍ୟ ଚାଲୁଛି । ତେବେ ଏ ନେଇ ସିଏମସିର ଏକ ସ୍ୱତନ୍ତ୍ର ସର୍ଟ ଟେଣ୍ଡର କରାଯାଇ ପଙ୍କୋଦ୍ଧାର କରାଯାଉଛି । ବାତ୍ୟାର ପ୍ରଭାବ କଟକ ପ୍ରତି ନଥିଲେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ମେୟର ସହରରୁ ଜଳନିଷ୍କାସନ ପାଇଁ ସଜାଗ ରହିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସହରର ପ୍ରତ୍ୟେକ ନାଳନର୍ଦ୍ଦମା ସଫେଇ ତୁରନ୍ତ ଶେଷ କରିବା ପାଇଁ ମେୟର ଶ୍ରୀ ସିଂହ ନିଜେ କାର୍ଯ୍ୟ ତଦାରଖ କରୁଥିବା କହିଛନ୍ତି । ମେୟରଙ୍କ ସ୍ଥିତି ଅନୁଧ୍ୟାନ କାର୍ଯ୍ୟକ୍ରମରେ ସିଏମସି କମିଶନର ଅନନ୍ୟା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଡେପୁଟି କମିଶନର ତଥା ବସ୍ତିଉନ୍ନୟନ ଅଧିକାରୀ ଶ୍ୱେତପଦ୍ମା ଡି. ଶତପଥୀ, ଜାଇକା ମୁଖ୍ୟଯନ୍ତ୍ରୀ, ସିଏମସି ଯନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ । ତେବେ ମେୟର ଶ୍ରୀ ସିଂହ ମାତୃଭବନ ନିକଟରେ କାର୍ଯ୍ୟ ତଦାରଖ କରିବା ପରେ ୱାଟକୋ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ଏହି ବୈଠକରେ ସିଏମସି କର୍ତ୍ତୃପକ୍ଷଙ୍କ ସମେତ ୱାର୍ଟକୋ ଉପଖଣ୍ଡ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା । ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବା ଉପରେ ମେୟର ଆଲୋଚନା କରିଥିଲେ । ବାତ୍ୟା ସମୟରେ ସହରବାସୀଙ୍କୁ ବିଶୁଦ୍ଧପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ବ୍ୟବସ୍ଥା, ଦରକାର ପଡ଼ିଲେ ଲୋକଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର ଓ ସେମାନଙ୍କୁ ଖାଦ୍ୟସାମଗ୍ରୀ ଆଦି ପ୍ରଦାନ ନେଇ ଆଲୋଚନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ