ଆରମ୍ଭ ହେଲା ନବମ ଶ୍ରେଣୀର ପାଠପଢା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ
କଟକ (ଏନ୍.ଏମ୍.): ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ନବମ ଶ୍ରେଣୀ ପାଠ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି । ଅଫ ଲାଇନରେ ପାଠ ପଢିବା ଲାଗି ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲ ମୁହାଁ ହୋଇଥିଲେ । କିଛି ଛାତ୍ରଛାତ୍ରୀ ଅଭିଭାବକ ସହ ଆସିଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ପରେ ସେମାନଙ୍କ ମଧ୍ୟରେ ପାଠପଢିବାର ଉତ୍ସାହ ଦେଖାଯାଇଥିଲା । ଦୀର୍ଘ ଦିନ ଘରେ ରହିବା ପରେ ଶିକ୍ଷାନୁଷ୍ଠାନରେ ବସି ଅଫଲାଇନରେ ପାଠ ପଢିଥିଲେ । ଶିକ୍ଷାନୁଷ୍ଠାନ ଛୁଟି ପରେ ସାଙ୍ଗ ମାନଙ୍କ ସହିତ ଏକାଠି ହୋଇ ଖଟି ଜମାଇଥିଲେ । ତେବେ ପ୍ରଥମ ଦିନରେ ନମବ ଶ୍ରେଣୀରେ କମ ଉପସ୍ଥାନ ହୋଇଥିବା ସୂଚନା ମିଳିଛି । ସମସ୍ତ ବିଦ୍ୟାଳୟଗୁଡିକରେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରା ପାଠପଢା ଯାଇଥିଲା । ତେବେ କଟକ ଜିଲ୍ଲାରେ କୌଣସି ସ୍କୁଲରେ ପାଠପଢାକୁ ନେଇ ଅସୁବିଧା ସୃଷ୍ଟି ହୋଇନଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଖୋଲିବା ପୂର୍ବରୁ ଶ୍ରଣୀ କକ୍ଷକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଥିଲା । ମାସ୍କ ଏବଂ ସାମାଜିକ ଦୂରତ୍ୱ ନିୟମକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସମସ୍ତ ସ୍କୁଲଗୁଡିକର ମୁଖ୍ୟ ଫାଟକ ନିକଟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହା ସହିତ ଛାତ୍ରଛାତ୍ରୀଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଜିଲ୍ଲାରେ ଥିବା ସମସ୍ତ ହାଇସ୍କୁଲଗୁଡିକରେ ସକାଳ ୧୦ଟାରୁ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଅପରାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ପାଠପଢା ହୋଇଥିଲା। ଛାତ୍ରଛାତ୍ରୀମାନେ ଅଭିଭାବଙ୍କର ଅନୁମତି ନେଇ କ୍ଲାସ କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା । ସ୍କୁଲଗୁଡିକର ପ୍ରତି କ୍ଲାସରୁମରେ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସ କରାଯାଇଥିଲା । ପ୍ରତି ବେଞ୍ଚରେ ଜଣେ କିମ୍ବା ୨ ଜଣ ଛାତ୍ରଛାତ୍ରୀ ବସିଥିବା ଦେଖିବାକୁ ମିଳିଥିଲା ।