ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ
#କଟକ(ଏନ୍.ଏମ.): ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଏହାଛଡ଼ା ସେ ବେଶ କେତୋଟି ଧାରାବାହିକରେ ବି ଅଭିନୟ କରିଥିଲେ । ଜଣାଶୁଣା ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ନାରୀ, ଅଦିନମେଘ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ, ହିସାବନିକାଶ, ପୂଜାଫୁଲ, ସମୟ ବଡ଼ ବଳବାନ, ଆ ଜହ୍ନରେ ଲେଖିବା ନାଆଁ ଏବଂ ହୀରାନୀଳା ଆଦି ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ସେ କଟକ ଆକାଶବାଣୀରେ ଜଣେ ବିଶିଷ୍ଟ ଶିଶୁ କଳାକାର ଭାବେ ପ୍ରଥମେ ଶ୍ରୋତାଙ୍କ ନିକଟରେ ପରିଚିତ ହୋଇଥିଲେ । ପରେ ସେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା ଲାଭ କରିଥିଲେ । ଆକାଶବାଣୀ କଟକରେ ଘୋଷିକା ଭାବେ କାର୍ଯ୍ୟ କରିଥିଲେ । ନିଜର ମଧୁର କଣ୍ଠସ୍ୱର ଲାଗି ଶ୍ରୋତାଙ୍କ ନିକଟତର ହୋଇଥିଲେ ଝରଣା ଦାସ । ଏହାଛଡ଼ା ସେ ବହୁ ବେତାର ନାଟକରେ ବି ଅଭିନୟ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ନିଜର ମଧୁର କଣ୍ଠସ୍ୱର ଲାଗି ଶ୍ରୋତାଙ୍କ ନିକଟତର ହୋଇଥିଲେ ଝରଣା ଦାସ । ଏହାଛଡ଼ା ସେ ବହୁ ବେତାର ନାଟକରେ ବି ଅଭିନୟ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କର ପୂର୍ବରୁ ଥଣ୍ଡା ରୋଗ ଥିଲା କିନ୍ତୁ ସେମିତି କିଛି ଅସୁସ୍ଥତା ନଥିଲା । ପୂର୍ବରୁ କେବଳ ଡାଇବେଟିସ ଓ ରକ୍ତଚାପରେ ପୀଡ଼ିତଥିଲେ । କିନ୍ତୁ ଖାଇପିଇ ଶୋଇଲେ । ହଠାତ ଅସୁସ୍ଥତା ଅନୁଭବ କରିବା ପରେ ଡାକ୍ତର ପାଖକୁ ନେବା ପୂର୍ବରୁ ଝିଅ ହାତରେ ଆଖିବୁଜି ଦେଇଥିଲେ ଝରଣା । ବିଳମ୍ବିତ ରାତି୨ ଟା ୩୦ ସମୟରେତାଙ୍କର ପରଲୋକ ହୋଇଥିଲା । ଅଭିନୟ କ୍ଷେତ୍ରକୁ ଜୀବନ ବ୍ୟାପି ସାଧନା ପାଇଁ ୧୯୯୭ରେ ସେ ଚଳଚ୍ଚିତ୍ର ଜଗତର ରାଜ୍ୟର ଶ୍ରେଷ୍ଠ ସମ୍ମାନ ଜୟଦେବ ସମ୍ମାନ ପାଇଥିଲେ । ଇଟିଭିରେ ସକାଳ ତୀର୍ଥ ତୋ ଚରଣେର ସୁନ୍ଦର ସଂଯୋଜନା ଓ ତାଙ୍କ ସ୍ୱର ପାଇଁ ସେ ଘରେ ଘରେ ପରିଚିତ ଥିଲେ । ସେ ସମୟରେ ଏକ ରକ୍ଷାଣଶୀଳ ପରିବାରରୁ ଆସି ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଅନେକଙ୍କ ପ୍ରେରଣା ସାଜିବା ସହ ହାତ ଧରି କଳା ଜଗତରେ ମାର୍ଗଦର୍ଶନ କରାଇଥିଲେ । ଆଜି ତାଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ଆଜି ଏହି ଦୁଃଖଦ ଖବର ପ୍ରଚାର ହେବା ପରେ ଅନେକ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ବାହାରେ ରହୁଥିବା ଦୁଇ ପୁଅ ଆସିବା ପରେ ଆସନ୍ତାକାଲି ୪ଟାରେ ଶେଷକୃତ୍ୟ ସମ୍ପନ୍ନ ହେବ ।
ତାଙ୍କର ଦୁଇ ପୁତ୍ର ଅଛନ୍ତି । ତାଙ୍କର ଶେଷକୃତ୍ୟ ଗୋରାକବରଠାରେ ସଂପନ୍ନ ହେବ ବୋଲି ସୂଚନା ମିଳିଛି ।