ଆମେରିକାର ସର୍ବବୃହତ୍ ହିନ୍ଦୁ ମନ୍ଦିରରେ ରଥଯାତ୍ରା

ଆମେରିକାର ସର୍ବବୃହତ୍ ହିନ୍ଦୁ ମନ୍ଦିରରେ ରଥଯାତ୍ରା

 


ମିନିଆପଲିସି (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହିନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି । ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର ଠାରେ ଅବସ୍ଥିତ ଏହି ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା ଓ ପ୍ରଭୁ ଶ୍ରୀସୁଦର୍ଶନ ଶ୍ରୀଗୁଣ୍ଡିଚାରେ ଜନ୍ମବେଦୀକୁ ଯାଇଥିବାବେଳେ ବାହୁଡ଼ା ତିଥିରେ ଶ୍ରୀମନ୍ଦିରକୁ ଫେରିଛନ୍ତି । ହିନ୍ଦୁ ସୋସାଇଟି ଅଫ୍ ମିନେସୋଟ୍ଟା (ଏଚ୍‌.ଏସ୍‌.ଏମ୍‌.ଏନ୍‌) ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ କଥିତ ମନ୍ଦିର ତରଫରୁ ଚଳିତ ବର୍ଷର ରଥଯାତ୍ରା କୋଭିଡ୍ ଆତଙ୍କ ସତ୍ତ୍ୱେ ମହାସମାରୋହରେ ଆୟୋଜନ କରାଯାଇଥିଲା । ବଢ଼ି ଭୋରରୁ ଦିଅଁମାନଙ୍କ ସମ୍ମୁଖରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ ମୁଖ୍ୟ ପୁଜାରୀ ମୁରଲୀ ଭଟ୍ଟରଙ୍କର ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା । ସକାଳ ୧୧ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ରୋଷଣୀ କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ବିଶେଷ କରି ମହିଳାମାନେ ମା’ ଶୁଭଦ୍ରାଙ୍କୁ ନଚାଇ ନଚାଇ ନେଉଥିବାର ଦୃଶ୍ୟ ନିଆରା ଥିଲା । ଉପସ୍ଥିତ ଶତାଧିକ ଭକ୍ତଙ୍କ ଦ୍ୱାରା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀ ଏବଂ ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ ଗଗନ ପବନକୁ ପ୍ରକମ୍ପିତ କରୁଥିବା ଦେଖାଯାଇଥିଲା । ଏଚ୍‌.ଏସ୍‌.ଏମ୍‌.ଏନ୍‌ର ଅଧ୍ୟକ୍ଷ ତଥା ହତନ୍ଦୁ ମନ୍ଦିରର ପ୍ରତିଷ୍ଠାତା ପ୍ରଖ୍ୟାତ ବୈଜ୍ଞାନିକ ଡଃ ସୀତକଣ୍ଠ ଦାଶ ରଥ ଉପରେ ତାଙ୍କର ଧର୍ମପତ୍ନୀ କବୟିତ୍ରୀ କଳ୍ପନା ଦାଶଙ୍କ ସହିତ ଠାକୁରମାନଙ୍କୁ ଆରଧାନା କରିବା ପରେ ଡଃ ଦାଶଙ୍କ ଦ୍ୱାରା ଛେରା ପହଁରା ବିଧି ସମାପନ କରାଯାଇଥଲା । ପରେ ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ଏବଂ ଭକ୍ତିପୂତ ପରିବେଶ ମଧ୍ୟରେ ରଥଟିକୁ ଟଣାଯାଇ ନବନିର୍ମିତ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଅଣାଯାଇଥିଲା । ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଏଚ୍‌.ଏସ୍‌.ଏମ୍‌.ଏନ୍‌ର ବିଭିନ୍ନ ପ୍ରକଳ୍ପ ମୁଖ୍ୟମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଯୋଗଦାନ ପାଇଁ ସମ୍ବର୍ଦ୍ଧନା ଫଳକ ପ୍ରଦାନ କରାଯାଇଥିଲା । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ଥାନୀୟ ରୋଟାରୀ କ୍ଲବର ସଭାପତି ରାଜ ଖାନ୍‌କରୀ, ମିନେସୋଟ୍ଟାସ୍ଥିତ ଭାରତ ସଂଘର ସଭାପତି କିରଣ ବିଣ୍ଡି, ଭୁବନେଶ୍ୱରରୁ ଆସିଥିବା ପ୍ରତାପରୁଦ୍ର ଦାସ, ବୈଜୟନ୍ତୀମାଳା ଦାସ ଏବଂ ମିନେସୋଟ୍ଟା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ରମୟା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ରଥଯାତ୍ରା ଉତ୍ସବର ବିଶାଳକାୟ ଆୟୋଜନ ଏବଂ ଏଥିଜନିତ ଟିକିଟିଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରାଯିବାରେ ଏଚ.ଏସ୍‌.ଏମ୍‌.ଏନ୍‌ର ଅଧ୍ୟକ୍ଷ ଡଃ ସୀତକଣ୍ଠ ଦାଶ ଓ ସଭାପତି ପୂଜା ବାସ୍ତୋଦକର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ