ଆବାସ ଯୋଜନାରେ ଦୁର୍ନୀତି: ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

ଆଠଗଡ(ଏନ୍.ଏମ୍.): ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି କୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୦ ଦିନ ତଳେ ୪୨୩ ଜଣ ହିତାଧିକାରୀଙ୍କୁ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ତେବେ ସେଥିମଧ୍ୟରୁ ପ୍ରାୟତଃ ଅବିବାହିତା, ସରକାରୀ ଚାକିରିଆ, ପେନସନ ପାଉଥିବା ବ୍ୟକ୍ତିଙ୍କ ସମେତ ୪ ଚକିଆ ଗାଡ଼ି ଥିବା ବ୍ୟକ୍ତି ଦୁଇ ମହଲା ଘର ଥିବା ବ୍ୟକ୍ତି ଏବଂ ନବ ନିର୍ବାଚିତ ହୋଇଥିବା କାଉନସିଲର ଏହି ଆବାସ ଯୋଜନା ହାତେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ଏହି କାର୍ଯ୍ୟାଦେଶ ଗୁଡିକର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ଇଲା ପଣ୍ଡା ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ସେନାପତି, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।