ଆଠଗଡ଼ରେ ବଢ଼ୁଛି ଅପରାଧ: ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଆଠଗଡ଼(ଏନ୍.ଏମ୍.): ଆଠଗଡ଼ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ଏହି ଅଞ୍ଚଳ ଏବେ ଅପରାଧ ପ୍ରବଣ ହେଉଥିବା କୁହାଯାଉଛି । ଅତୀତରେ ଅନେକ ଲୋମଟାଙ୍କୁରା ଅପରାଧ ଘଟିଥିବାବେଳେ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ମିଳିବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ମିଳିଥିବା ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ କେହି ହତ୍ୟାକରି ଏଠାରେ ଫିଙ୍ଗି ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ମହିଳା ପଡ଼ିଥିବାସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ଲୋକେ ତୁରନ୍ତ ଏ ସମ୍ପର୍କରେ ଆଠଗଡ଼ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଉକ୍ତ ମହିଳାଙ୍କୁ ଦୁଇରୁ ତିନିଦିନ ମଧ୍ୟରେ କେହି ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ପୁଲିସ ଅନୁମାନ କରୁଥିବାବେଳେ ମୃତା ମହିଳାଙ୍କ ପରିଚୟ ନମିଳିବା ପାଇଁ ହତ୍ୟାକାରୀମାନେ ମହିଳାଙ୍କ ମୁହଁକୁ ନଷ୍ଟ କରିଥିବା ପୁଲିସ କହିଛି । ତେବେ ପୋଷ୍ଟମର୍ଟମ ପରେ ହତ୍ୟା କେବେ କେଉଁ ସମୟରେ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଫିସର ବିଶ୍ୱଜିତ ଜେନା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ଜେନାପଦା ଶାଳବଣୀ ଜଙ୍ଗଲ ରାସ୍ତା ଏବେ ଚୋରି, ରହାଜାନି ଡକାୟତି କରିବା ପାଇଁ ହଟସ୍ପଟ ପାଲଟିଛି । ଗତ ୧୦ ଦିନ ତଳେ ଏହି ରାସ୍ତାରେ ଏକ ଟ୍ରକ ଡ୍ରାଇଭରକୁ ମାଡମାରି ୫.୪୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ପୂର୍ବରୁ ଅନେକ ବାର ଏହି ରାସ୍ତାରେ ଚୋରି ରାହାଜାନୀ ବୃଦ୍ଧି ପାଇଛି । ତେବେ ଏହି ଅଞ୍ଚଳରେ ପୁଲିସ କିଭଳି ଅପରାଧ ନିୟନ୍ତ୍ରଣ କରିବ ତାହା ସମୟକୁ ଅପେକ୍ଷା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।