ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ

ଆଠଗଡ(ଏନ୍.ଏମ୍.): ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ‘ମୁଁ ପରାଧୀନ ଭାରତର ନାଗରିକ ହୋଇ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖି ଥିଲି ଓ ଆଜି ମୁଁ ସ୍ୱାଧୀନ ଭାରତର ନାଗରିକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମୂଖ୍ୟଅତିଥି ଭାବେ ଆଠଗଡ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଲେଖ କୁମାର ଦାସ ଯୋଗଦେଇ କ୍ରାନ୍ତି ଦିବସକୁ ପ୍ରତେକ ଶିକ୍ଷାନୁଷ୍ଠାନରେ ପାଳନର ଆବଶ୍ୟକତା ରହିଛି । ସଙ୍ଘର ପୂର୍ବତନ ସଭାପତି ତଥା ଅଧ୍ୟାପକ ଆଲୋଚକ ଦୀନେଶ ଦାସ କ୍ରାନ୍ତି ଦିବସ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ୧୯୪୨ ଅଗଷ୍ଟ ୯ତାରିଖରେ ଯେଉଁ ଭଳି ଭାରତୀୟମାନେ ଏକାଠି ହୋଇ ଗାନ୍ଧୀ ମହାତ୍ମାଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ କ୍ରାନ୍ତିକାରୀ ସାଜି ନିଜ ଅଧିକାର ଲାଭ ଓ ସୁରକ୍ଷା ପାଇଁ ସଂଗ୍ରାମ କରିଥିଲେ । ସେହିଭଳି ଆଜିର ଦିନରେ ସାମ୍ବାଦିକମାନେ ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ଯେଉଁଭଳି ଭାବେ କାମଳ ସାମ୍ବାଦିକତା କରୁଛନ୍ତି ସେଥିରୁ ମୁକ୍ତ ହୋଇ ଆଜିର ଦିବସରେ ଶପଥ ନେଇ ପରିବର୍ତ୍ତନ ନାରାରେ କ୍ରାନ୍ତିକାରୀ ସାଜିବା ବୋଲି ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ପୂର୍ବତନ ସମ୍ପାଦକ ସତ୍ୟପ୍ରକାଶ ରଥ ଯୋଗଦେଇ ଆଜିର କ୍ରାନ୍ତି ଦିବସରେ ଦେଶକୁ ଆଉ ପାଦେ ଆଗକୁ ନେବାକୁ ହେଲେ ସାମ୍ବାଦିକମାନେ ଜଣେ ଜଣେ କ୍ରାନ୍ତିକାରୀ ହେବା ଆବଶ୍ୟକ ବୋଲି ପ୍ରକାଶ କରିବା ସହ ସାମ୍ବାଦିକ ସଂଘ ପକ୍ଷରୁ ଏହି ଭଳି ଦିବସ ପାଳନ ପାଇଁ ସାଧୁବାଦ ଜଣାଇଥିଲେ । ଶିକ୍ଷାବିତ ତଥା ପୂର୍ବତନ ସାମ୍ବାଦିକ ଚନ୍ଦ୍ରକାନ୍ତ ମିଶ୍ର, ସଂଘର ପୂର୍ବତନ ଉପସଭାପତି ମନୋରଞ୍ଜନ ମହାପାତ୍ର, ସଂଘର ପୂର୍ବତନ ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ, ସଂଘର ଉପସଭାପତି ବିଷ୍ଣୁପ୍ରସାଦ ଦାସ ପ୍ରମୁଖ କ୍ରାନ୍ତି ଦିବସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଂଘର ସମ୍ପାଦକ ବିଭୁତି ଭୂଷଣ ଖଟୁଆଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆଠଗଡ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ସାମ୍ବାଦିକମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ଦାସ, ବିଶ୍ୱଜିତ ରାଉତ, ସଞ୍ଜୟ କୁମାର ମହାନ୍ତି, ସ୍ୱରାଜ ପଣ୍ଡା, ମାନସ ସାହୁ, ବିଭୁପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବ ସାମ୍ବାଦିକ ବିରୁପାକ୍ଷ ପ୍ରଧାନ ଧନ୍ୟବାଦ ଦେଇଥିଲେ ।