ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
#ଭୁବନେଶ୍ୱର(ଏନ୍.ଏମ୍.): ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ରାଜନୈତିକ ଜଗତରେ ପୁଣି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । କ୍ରମାଗତ ଭାବେ ୭ ଥରର ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ୭୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ । ସୂର୍ଯ୍ୟନାରାୟଣ ପାତ୍ର ଦୀର୍ଘମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ ।
ସୂଚନା ଅନୁଯାୟୀ ୧୯୯୭ ମସିହାରେ ବ୍ରହ୍ମପୁର ମହାନଗର ନିଗମ କାଉନସିଲର ଭାବେ ନିର୍ବାଚିତ ହେବା ପରଠୁ ଆଉ ରାଜନୀତିରେ ପଛକୁ ଫେରି ନଥିଲେ ସ୍ୱର୍ଗତ ପାତ୍ର । ସେ ଫିସଫେଡ୍, ଓମଫେଡ୍ ଓ ଓପେଲଫେଡର ଅଧ୍ୟକ୍ଷ ସହ ଦୀର୍ଘବର୍ଷ ଧରି ଓଡ଼ିଶା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଗଞ୍ଜାମ ଆଥଲେଟିକ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ । ସ୍ୱର୍ଗତ ପାତ୍ର ପ୍ରଥମ ଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜନତା ଦଳ ଟିକେଟରେ ମୋହନା ବିଧାନସଭା ଆସନରୁ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ୧୯୯୦ ମସିହା ପରଠୁ କେବେ ନିର୍ବାଚନରେ ପରାଜିତ ହୋଇନଥିଲେ ।୧୯୯୦ରେ ବିଧାୟକ ଭାବେ ବିଜୟୀ ହୋଇ ଆସିବା ପରେ ବିଜୁ ପଟ୍ଟନାୟକଙ୍କ ସରକାରରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରାୟ ୬ ମାସ ପାଇଁ କାର୍ଯ୍ୟ କରିଥିଲେ । ତା’ପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ, ପରିବେଶ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରୁ ୪ଥର ଓ ଦିଗପହଣ୍ଡି ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ପାତ୍ର ଜନତା ଦଳ ଟିକେଟରେ ୧୯୯୦ ଓ ୧୯୯୫ରେ ମୋହନାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତା’ପରେ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡି ଟିକେଟରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରୁ ବିଜୟୀ ହୋଇଥିଲେ । ନିଜର ରୋକଠୋକ୍ କଥା ପାଇଁ ପରିଚିତ ସ୍ୱର୍ଗତ ପାତ୍ର ୨୦୧୯ରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଇ-ବିଧାନସଭା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ପ୍ରଚେଷ୍ଟା ଯୋଗୁ ବିଧାୟକମାନଙ୍କ ସରକାରୀ ବାସଭବନକୁ ଭାଙ୍ଗି ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରସାଦ କାର୍ଯ୍ୟ ଏବେ ଜାରି ରହିଛି । ତେବେ ଅସୁସ୍ଥତା ଯୋଗୁଁ ୨୦୨୨ ଜୁନ୍ ମାସରେ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେବେଠୁ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନଥିଲା । ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ହୋଇଥିଲେ ସୂର୍ଯ୍ୟନାରାୟଣ ପାତ୍ର । ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତାଙ୍କୁ ୨୦୧୯ ଫେବୃୟାରୀ ମାସରେ ପଞ୍ଜାବର ଦେଶଭଗତ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମିଳିଥିଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ୍, ବଦ୍ରି ପାତ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
Kichhi b jani nahanti e babadare
kintu bhramatmaka tathya dei ajathare jane bishista rajnetanku maranottara apamanita kara jaichhi
ethipain apana kshyama magiba saha dukha prakasha karantu