ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଚୌଦ୍ୱାର(ଏନ୍.ଏମ୍.): ଜନସାଧାରଣଙ୍କୁ ସୁରକ୍ଷା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଘୋଷଣା ହୋଇଥିବା ପୁଲିସ ସହାୟତା କେନ୍ଦ୍ର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ତେବେ ଏହି ପ୍ରକଳ୍ପର ବିଳମ୍ବ ସମ୍ପର୍କରେ କାହାରି ପାଖରେ ସନ୍ତୋଷ ଜନକ ଉତ୍ତର ମିଳୁନଥିବା ନେଇ ଏହି ଘୋଷଣା କେବଳ ପାଣି ଫୋଟକାଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡା ପଞ୍ଚାୟତ ଠାରେ କଟକ ସିଡିଏ ଠାରୁ ନୁଆପାଟଣା ଗ୍ରାମକୁ ସଂଲଗ୍ନ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ସେତୁ ନିକଟବର୍ତ୍ତୀ ନୂଆପାଟଣା ଛକ ଠାରେ ଏକ ପୁଲିସ ସହାୟତା କେନ୍ଦ୍ର ନିର୍ମାଣ ପାଇଁ ଘୋଷଣାକରାଯାଇଥିଲା । ଏଥି ପାଇଁ ଏକ ଗୃହ ମଧ୍ୟ ଶେଷ ହୋଇଛି । ତେବେ ଏହି ସହାୟତା କେନ୍ଦ୍ର କେବେ କାର୍ଯ୍ୟଆରମ୍ଭ କରିବ ସେ ବିଷୟରେ କାହାରି ପାଖରେ ତଥ୍ୟ ନମିଳିବା ନେଇ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି । ଏପରିକି ଏହି ସହାୟତା କେନ୍ଦ୍ର ଏବେ ଅସହାୟ ହୋଇ ପଡ଼ିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଉକ୍ତ କେନ୍ଦ୍ର ପାଇଁ ତିଆରି ହୋଇଥିବା ଗୃହଟି ଏବେ ଗୋରୁଗାଈ ଓ ବେପାରୀ ମାନଙ୍କ ଆଶ୍ରୟ ସ୍ଥଳ ପାଲଟିଛି । ୨୦୧୮ ମସିହାରେ ମଧୁସୂଦନ ସେତୁ ଉଦ୍ଘାଟନ ହୋଇଥିଲା । ଫଳରେ ଭୁବନେଶ୍ୱର ଭାୟା କଟକ ଦେଇ ଅନୁଗୁଳ ପର୍ଯ୍ୟନ୍ତ ରାସ୍ତା ଦୂରତ୍ୱ ହ୍ରାସ ପାଇବା ଯୋଗୁଁ ବହୁ ଯାନବାହନ ଗମନାଗମନ କରୁଛି । ଅନ୍ୟପକ୍ଷରେ ଏହି ସେତୁ ଉପରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିବା ଯୋଗୁଁ ବହୁ ଚୋରି, ଛିନତାଇ, ରାହାଜାନି ଭଳି ଅପରାଧ ବଢ଼ିବାରେ ଲାଗିଛି । ତେଣୁ ଏଠାରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏକ ପୁଲିସ ସହାୟତା କେନ୍ଦ୍ର ପାଇଁ ଘୋଷଣା କରାଯାଇଥିଲା । ପୁନଶ୍ଚ ଉକ୍ତ ସେତୁରେ ୨୪ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା ଠିକ୍ ସେ କାର୍ଯ୍ୟକାରୀ ହୋଇପାରୁ ନଥିବାବେଳେ ଟ୍ରାଫିକ, ଆଲୋକିକରଣର ଆଦି ଅବ୍ୟବସ୍ଥା ରହିଛି । ଯାହାଦ୍ୱାରା ସେତୁରେ ବହୁ ଦୁର୍ଘଟଣା ଘଟୁଛି । ଉକ୍ତ ସେତୁ ଅନ୍ଧାରୁଆ ଓ ନିଛାଟିଆ ହେବା ଦ୍ୱାରା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି; ଯାହାଫଳରେ ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ତେବେ ଉକ୍ତ ସେତୁଟି ଅଧା ସିଡିଏ ଥାନା ଏବଂ ଅଧା ଚୌଦ୍ୱାର ଥାନା ଅଧିନରେ ଯାଉଛି । ତେଣୁ କମିଶନରରେଟ୍ ପୁଲିସ ଫାଣ୍ଡି ବଦଳରେ ଏକ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ ପାଇଁ ଜାଗା ନିରୂପଣ ସହିତ ଏକ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦ୍ଘାଟନ ହୋଇ ପାରୁନାହିଁ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହେଉଛି ।