ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମୁଖର

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମୁଖର

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମୁଖର


କଟକ/ଅଯୋଧ୍ୟା(ଏଜେନ୍ସି): ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ରାମଲଲା । ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ । ଶୁଭ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ସୁନେଲି ରଙ୍ଗର କୁର୍ତ୍ତା ଧଳା ରଙ୍ଗ ପାଇଜାମା ପିନ୍ଧି ପୂଜାରେ ବସିଥିଲେ । ତାଙ୍କ ହାତରେ କୁଶ ବଟୁ ଥିଲା । ଚାରିଆଡ଼େ ଜୟ ଶ୍ରୀ ରାମଙ୍କ ଧ୍ୱନିରେ ପ୍ରକମ୍ପିତ ହେଉଛି । ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ରାମଲଲାଙ୍କ ଆଗରେ ନତମସ୍ତକ ହୋଇଛନ୍ତି । ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହରେ ସେନା ହେଲିକପ୍ଟରଗୁଡିକ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଫୁଲ ବର୍ଷା କରିଥିଲେ । ଅଯୋଧ୍ୟା ମନ୍ଦିରରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଦିବ୍ୟ ସମାରୋହରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ ।
ଅନ୍ୟପକ୍ଷରେ ରାମମୟ ହୋଇଛି ପୂରା ଦେଶ । ଏହାରି ଭିତରେ ରାମମନ୍ଦିର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜେପି ନେତ୍ରୀ ଉମା ଭାରତୀ ଓ ସାଧ୍ୱୀ ଋତମ୍ଭରା ନିଜ କୋହ ରୋକି ପାରିନାହାନ୍ତି । ଉଭୟ ପରସ୍ପରକୁ ଆଲିଙ୍ଗନ କରି କାନ୍ଦି ପକାଇଛନ୍ତି ଉମା ଭାରତୀ ଓ ସାଧ୍ୱୀ ଋତମ୍ଭରା ରାମମନ୍ଦିର ପାଇଁ ଉଭୟ ବଡ଼ ଭୂମିକା ନିର୍ବାହ କରିଥିଲେ । ୯୦ ଦଶକରେ ରାମ ମନ୍ଦିର ପାଇଁ ହୋଇଥିବା ଆନ୍ଦୋଳନରେ ପ୍ରବୀଣ ତୋଗାଡିଆ, ଅଶୋକ ସିଙ୍ଘାଲ, ଲାଲକୃଷ୍ଣ ଆଡଭାନୀ, ବିନୟ କଟିଆର, ସହ ଦୁଇ ମହିଳା ଯୋଦ୍ଧା ଉମା ଭାରତୀ ଓ ସାଧ୍ୱୀ ଋତମ୍ଭରା ମଧ୍ୟ ସାମିଲ ଥିଲେ । ସେହିଭଳି ଆଜି ଆଉ ଏକ କୀର୍ତ୍ତିମାନ ଅର୍ଜନ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟାରେ ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ । ୱାର୍ଲଡ୍ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି । ପ୍ରଭୁ ରାମଙ୍କ ପ୍ରତିକୃତୀର ଉଚ୍ଚତା ୨୩ ଫୁଟ, ଲମ୍ବ ୫୫ ଫୁଟ୍ ଏବଂ ଓସାର ୩୫ ଫୁଟ୍ ଥିଲା । ଏଭଳି ଭାବେ ସରଜୁ ଘାଟ ନିକଟ ରାମକଥା ପାର୍କରେ ୫ଶହଟି ଛୋଟ ଛୋଟ ରାମମନ୍ଦିରର ପ୍ରତିକୃତୀ ନିଜ ଟିମ୍ ସହ ନିର୍ମାଣ କରିଥିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ।
ଏହି ଅବସରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ରାଜ୍ୟରେ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଇଛି । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ରାମ ଭକ୍ତମାନେ ବିଭିନ୍ନ ଶୋଭାଯାତ୍ରା କରିବା ସହ, ରାମନାମ ସଂକୀର୍ତ୍ତନ, ହନୁମାନ ଚାଳିସା ଆଦି ପାଠ କରାଯାଇଛି । ବିଭିନ୍ନ ସ୍ଥାନରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଦେଖିବାକୁ ମିଳିଛି । ସେହିଭଳି ଚୌଦ୍ୱାରର ଓଟିଏମ୍ ହନୁମାନ ମନ୍ଦିର, କଳିଙ୍ଗଛକସ୍ଥିତ ରାମ ମନ୍ଦିର, ନଖରା ଗ୍ରାମ ପଞ୍ଚାୟତ ଚାଞ୍ଚୋସ୍ଥିତ ହନୁମାନ ମନ୍ଦିର, ନୁନଟିକିରି ହନୁମାନ ମନ୍ଦିର, ବାଣୀପଦା ହନୁମାନ ମନ୍ଦିର, କୁମାର ପୁର ହନୁମାନ ମନ୍ଦିର, ଆଗ୍ରାହାଟ ହନୁମାନ ମନ୍ଦିର, ବ୍ରାହ୍ମଣ ସାହି ରାମଲୀଲା ଅନୁଷ୍ଠାନ ସମେତ ବିଭିନ୍ନ ମନ୍ଦିର, ମଠ ହୋଇଉଠିଛି ରାମମୟ ପରିବେଶ । ସେହିପରି ପ୍ରଭୁ ଶ୍ରୀରାମ ମନ୍ଦିର, ମଠ, ଓ ହନୁମାନ ମନ୍ଦିର ମାନଙ୍କରେ ଏବେଠୁ ଦେଖିବାକୁ ମିଳିଛି ଭକ୍ତି ଓ ଭାବମୟ ପରିବେଶ । ତେବେ ସ୍ଥାନୀୟ କୟଳପଡ଼ା ପଞ୍ଚାୟତ ସିମିଲିହାଣ୍ଡ ଗ୍ରାମର ରାଧାମାଧବ ମଠ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରାମଲୀଳା ପ୍ରଚାର ସମିତି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳରେ ବହୁ ଉତ୍ସାହୀ ଯୁବକମାନେ ବିଭିନ୍ନ ସ୍ଥାନରେ ରାମନାମ ନାରା ସହ ପ୍ରଭୁ ହନୁମାନଙ୍କ ଧ୍ୱଜା ମଧ୍ୟ ବିଭିନ୍ନ ଛକ ଓ ମନ୍ଦିରମାନଙ୍କରେ ଲଗାଇବା ସହିତ ପ୍ରଭୁ ଶ୍ରୀ ରାମଙ୍କ ଭଜନ ସଂକୀର୍ତ୍ତନ କରି ନାଚଗୀତ କରୁଥିବାର ଦେଖିବାକୁ ମିଳିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ