ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା

ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା

ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା

News by Kanhu charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଭୂବନପୁର ଗ୍ରାମରେ ପ୍ରଶାସନିକ ଅବହେଳା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଜଗତପୁର ଅଞ୍ଚଳ ସିଏମସିରେ ସାମିଲ ହୋଇଥିଲେ ମଧ୍ୟ ଜସଧାରଣଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଏଠାରେ ବିଶେଷ କରି ମୁକୁଳା ଡ୍ରେନ ସାଙ୍ଗକୁ ରାତିରେ ଅଚଳ ଷ୍ଟ୍ରିଟ ଲାଇଟ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ତେବେ ସିଏମସି ସହର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଭୁବନପୁର ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ସହରରେ ସମସ୍ୟାର ସମାଧାନ ପାଇଁ ମେୟର ଓ କମିଶନର ଯେଉଁ ରଣହୁଙ୍କାର ଦେଇଛନ୍ତି ଏହି ଅଞ୍ଚଳକୁ ଦେଖିଲେ ଏହା କେବଳ ଲୋକଦେଖାଣିଆ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ଗ୍ରାମର ମୁଖ୍ୟ ରାସ୍ତା ଦୀର୍ଘ ୧୫ ଦିନ ହେବ ଅନ୍ଧାରରେ ରହିଛି । ଫଳରେ ଯାତୟାତ କରୁଥିବା ସମୟରେ ଅନ୍ଧାର ଯୋଗୁଁ ଦୁର୍ଘଟଣା ଘଟୁଛି । ଦୀର୍ଘ ଦିନ ଧରି ଉପଯୁକ୍ତ ରକ୍ଷଣାବେକ୍ଷରଣର ଅଭାବ ଯୋଗୁଁ ଏହି ଅଞ୍ଚଳର ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରୁ ଭୂବନପୁର କେନାଲ ବନ୍ଧ ପର୍ଯ୍ୟନ୍ତ ୫ ଗୋଟି ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ । ଫଳରେ ଏଠାରେ କିଟିମିଟିଆ ଅନ୍ଧାର ରାଜୁତି କରୁଛି । ସମସ୍ତ ସହରାଞ୍ଚଳକୁ ସରକାର ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଏଠାରେ ଲାଗିଥିବା ଏଲଇଡି ଲାଇଟ ଅଚଳ ହୋଇ ପଡ଼ିଲାଣି କିନ୍ତୁ ରକ୍ଷଣାବେକ୍ଷଣ ହେଉନାହିଁ । ସେହିଭଳି ଅଞ୍ଚଳରେ ମୁକୁଳା ଡ୍ରେନ ମଧ୍ୟ ଜନସାଧାରଣଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ତେବେ ପ୍ରତିବର୍ଷ ଡ୍ରେନ ମରାମତି, ପଙ୍କୋଦ୍ଧାର, ଡ୍ରେନରେ ସ୍ଲାବ ପକାଇବା ପାଇଁ ସିଏମସି ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ୪୮ନମ୍ବର ୱାର୍ଡ଼ ପାଇଁ ଏହାର ଚରମ ଅବହେଳା ଦେଖିବାକୁ ମିଳିଛି । ତେବେ ଦୀର୍ଘ ବର୍ଷ ଧରି ସିଏମସିରେ ଲୋକପ୍ରତିନିଧି ନରହିବା ଦ୍ୱାରା ଏହି ୱାର୍ଡ଼ର ବିଭିନ୍ନ ସମସ୍ୟାର ସମାଧାନ ସିଏମସି ଅଧିକାରୀଙ୍କ ହାତରେ ନ୍ୟସ୍ତ ଥିଲା । ତେବେ ସେ ସମୟରେ ମଧ୍ୟ ଏହି ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇ ନଥିବା ଅଭିଯୋଗ ହୋଇଛି । ସେହିଭଳି ସ୍ଥାନୀୟ କର୍ପୋରେଟର ମଧ୍ୟ ଅଞ୍ଚଳ ବିକାଶ କ୍ଷେତ୍ରରେ ଉଦାସୀନତା ଯୋଗୁଁ ଏହି ଅଞ୍ଚଳର ସମସ୍ୟା ସମାଧାନ ହୋଇ ପାରୁନଥିବା ଅଞ୍ଚଳର କିଛି ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି । ଏପରିକି ଦୀର୍ଘ ଦିନ ଧରି ବିଦ୍ୟୁତ ଖୁଣ୍ଟମାନଙ୍କରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଅଚଳ ହୋଇପଡ଼ିଥିଲେ ମଧ୍ୟ ସିଏମସି ଯାନ୍ତ୍ରିକ ବିଭାଗକୁ ସ୍ଥାନୀୟ କର୍ପୋରେଟର ଅବଗତ ନକରିବା କିମ୍ବା ନିର୍ଦ୍ଦେଶ ନଦେବାରୁ ଅଞ୍ଚଳବାସୀ ଅନ୍ଧାରରେ ରହିଥିବା ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ସିଏମସିର ଅଧିକାରୀ, ପଦାଧିକାରୀଙ୍କ ଠାରୁ ଲୋକ ପ୍ରତିନିଧିଙ୍କ ପର୍ଯ୍ୟନ୍ତ କେବଳ ପ୍ରଚାର ସର୍ବସ୍ୱ ନୀତିରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । କେବଳ ଡ୍ରେନ ସଫାକରି ଫଟୋ ଉଠାଇ ସୋସିଆଲ ମିଡିଆରେ କାମ ଜାରି ରହିଥିବା ଫଟୋ ଛଡାଯାଇ ସିଏମସି କର୍ତ୍ତୃପକ୍ଷ କେବଳ ମିଛ ବାହାବା ନେଉଛନ୍ତି । ଏପରିକି ସ୍ଥାନୀୟ କର୍ପୋରେଟରଙ୍କ ଘର ଠାରୁ ମାତ୍ର ୨ଶହ ମିଟର ଦୂରରେ ଭୁବନପୁର ହୋଇଥିଲେ ମଧ୍ୟ ଏଠାରେ ଅଚଳ ଷ୍ଟ୍ରିଟ ଲାଇଟ ସାଙ୍ଗକୁ ମୁକୁଳା ଡ୍ରେନ ଓ ଅନ୍ଧକାରମୟ ରାସ୍ତା ଉପରେ ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ସେହିଭଳି ସମ୍ପ୍ରତି ରଜ ଉତ୍ସବ ନେଇ ରାସ୍ତାଘାଟ ଚଳଚଞ୍ଚଳ ଥିଲେ ମଧ୍ୟ ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି । ଏପରିକି ମହାନଦୀ ବ୍ୟାରେଜ ଜିରୋ ପଏଣ୍ଟ ଠାରୁ କେନ୍ଦ୍ରାପଡା ହାଇଲେବଲ କେନାଲ ରୋଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ ଲାଇଟ ଗୁଡିକ ଜଳୁ ନଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି । ଏଥି ସହିତ ଏହି ରାସ୍ତାରେ ବୁଲା ଗୋର ରାସ୍ତା ଉପରେ ବୁଲୁଥିବାରୁ ଦୁର୍ଘଟଣା ଘଟୁଥିବାବେଳେ ବୁଲା କୁକୁର ଅନ୍ଧାରର ସୁଯୋଗଦେଇ ସାଇକେଲ ଓ ବାଇକ ଆରୋହୀଙ୍କୁ ଗୋଡ଼ାଇବା କାମୁଡ଼ିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେଣୁ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଭୁବନପୁରର ଏହି ମୁକୁଳା ଡ୍ରେନରେ ସ୍ଲାବ ପକାଇବା ଏବଂ ଅଚଳ ଷ୍ଟ୍ରିଟ ଲାଇଟ ଗୁଡିକ ମରାମତି କରାଯିବା ସହ ଆଇବି ରୋଡକୁ ବୁଲାଗୋରୁ ଓ କୁକୁର ମୁକ୍ତ କରିବା ପାଇଁ ଦାବି ହୋଇଛି । ତେବେ ଏହି ଅଞ୍ଚଳରେ ଥିବା ସମସ୍ୟାର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କଂଗ୍ରେସ ଯୁବ ନେତା ମାନସ ନାୟକ ଚେତାବନୀ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ