ଅବକାରୀ ହାଜତରେ ଯୁବକଙ୍କ ମୃତ୍ୟୁ: ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ

ଅବକାରୀ ହାଜତରେ ଯୁବକଙ୍କ ମୃତ୍ୟୁ: ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ

ଅବକାରୀ ହାଜତରେ ଯୁବକଙ୍କ ମୃତ୍ୟୁ: ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ

News by Smrutiranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଅବକାରୀ ବିଭାଗ ହାଜତରେ ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଚୌଦ୍ୱାର ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଅବକାରୀ ବିଭାଗ କର୍ମଚାରୀ ତାଙ୍କୁ ବାଡେଇ ବାଡେଇ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କର୍ମଚାରୀମାନେ ସଫେଇ ଦେଉଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଚୌଦ୍ୱାର ଅବକାରୀ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ମହିସାଲଣ୍ଡା ଗ୍ରାମର ଶରତ ପ୍ରଧାନ ବୋଲି ଜଣାପଡ଼ିଛି । ସେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଚୌଦ୍ୱାର ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ତାଙ୍କ ନିକଟରୁ ୮୦ଲିଟର ଦେଶୀ ମଦ ଜବତ ଜବତ ହେବା ସହ ତାଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା । ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥାନ୍ତା । କିନ୍ତୁ ହଠାତ୍ ରାତିରେ ତାଙ୍କର ଶରୀର ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଏନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅବକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିବାରୁ ଶରତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡ଼ ଭାଇ ଭରତ ପ୍ରଧାନ । ପରିବାର ଲୋକଙ୍କ କହିବାନୁଯାୟୀ ଶରତଙ୍କୁ ଅବକାରୀ ବିଭାଗ ଉଠାଇ ଆଣିବା ପରେ ରାତି ୮ଟା ସମୟରେ ତାଙ୍କର ଦୁଇଭାଇ ଅବକାରୀ କାର୍ଯ୍ୟାଳୟକୁ ଆସି ତାଙ୍କୁ ସାକ୍ଷାତ କରିଥିଲେ । ଏପରିକି ଦୀର୍ଘ ଏକଘଣ୍ଟା ଭାଇ ସହ ଆଲୋଚନା କରି କୋର୍ଟଚାଳଣ ପରେ କିଭଳି ବେଲ ମିଳିବ ସେ ନେଇ ଆଲୋଚନା କରିବା ସହ ଆଇନଜୀବୀଙ୍କ ସହ ପରାମର୍ଶ କରାଯାଇଥିଲା । ତେବେ ପରିବାର ଲୋକେ ରାତି ୯ଟା ବେଳେ ସେଠାରୁ ଘରକୁ ଫେରିଥିଲେ । କିନ୍ତୁ ରାତି ୧୧ଟାରେ ତାଙ୍କୁ ଖବର ଦିଆଗଲା ଯେ ତାଙ୍କ ଭାଇ ଶରତଙ୍କ ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯାଇଥିବା ଭଳି ଅଭିଯୋଗ ପରିବାର ଲୋକେ ଆଣିଛନ୍ତି । ତେବେ ଚୌଦ୍ୱାର ଅବକାରୀ ଅଧିକାରୀ ଦୁର୍ଯ୍ୟୋଧନ ଦିଗଲଙ୍କୁ ଯୋଗାଯୋଗ କରିବାରେ ସେ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ । କିନ୍ତୁ ଏଭଳି ଘଟଣା ବିଷୟରେ ଷ୍ଟାଫମାନଙ୍କ ଠାରୁ ଏନେଇ ସୂଚନା ପାଇଛନ୍ତି । ଗତକଲି ପାଟ୍ରୋଲିଂ ବେଳେ ଶରତ ୮୦ ଲିଟର ମହୁଲୀ ମଦ ସହ ଧରାପଡ଼ିଥିଲେ । ତାଙ୍କୁ ଅବକାରୀ କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ବେଳେ ଜଣେ ଆଇନଜୀବୀ ପହଞ୍ଚି କେସ୍ କରାଯିବା ନେଇ ବିଭିନ୍ନ କଥା କହିଥିଲେ । ଯାହା ପରେ ଶରତଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କେହି ତାଙ୍କୁ ମାଡ଼ ମାରିନାହାନ୍ତି । ମଦ ଜବତ ଘଟଣାରେ କର୍ମଚାରୀମାନେ ମାଡ଼ ମାରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ତାଙ୍କର ହୃଦଘାତ କିମ୍ବା ରକ୍ତଚାପ ବଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି ଅବକାରୀ ଅଧିକାରୀ ଶ୍ରୀ ଦିଗଲ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ