ଅବକାରୀ ବିଭାଗର ଚଢ଼ାଉ: ବିପୁଳପରିମାଣର ବେଆଇନ ଦେଶୀ ମଦ ଓ ପୋଚ ଜବତ

ଆଠଗଡ(ଏନ୍.ଏମ୍.): ରାଜ୍ୟରେ ବେଆଇନ ନିଶା କାରବାର ରୋକିବା କ୍ଷେତ୍ରରେ ସରକାର ଓ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ବେଆଇନ ନିଶାବେପାରୀମାନଙ୍କୁ ରୋକିବା ବିଭାଗ ପାଇଁ ସତେ ଯେମିତି ଚାଲେଞ୍ଜ ହୋଇପଡ଼ିଛି । ଗୋଟିଏ ପଟେ ପୁଲିସ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ଘନଘନ ଚଢ଼ାଉ କରୁଥିବାବେଳେ ନିଶା ମାଫିଆ କିନ୍ତୁ ବେଫିକର । ବିଭାଗୀୟ ଅଧିକାରୀ ଡାଳେଡାଳେ ଗଲେ ନିଶା ମାଫିଆମାନେ ପତ୍ରେ ପତ୍ରେ ଯାଉଥିବା ଦେଖିବାକୁ ମିଳିଛି । ତଥାପି ବିଭାଗ ନଛୋଡ଼ବନ୍ଧା । ଗୋଟିଏ ପରେ ଗୋଟିଏ ଚଢ଼ାଉ କରି ବିଭାଗକୁ ମିଳୁଛି ଅନେକ ସଫଳତା । କଟକ ଜିଲ୍ଲାର ତିଗିରିଆ ଥାନା ଦେଶୀ ମଦ ତିଆରିର ଏନ୍ତୁଡ଼ିଶାଳ ପାଲଟି ଯାଇଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଭୀରୁଡ଼ା ଗ୍ରାମରେ ତିଗିରିଆ ପୁଲିସ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଦେଶୀମଦ ଓ ମଦ ପ୍ରସ୍ତୁତି ପାଇଁ ସରଂକ୍ଷିତ ରଖାଯାଇଥିବା ପୋଚ ନଷ୍ଟ କରାଯାଇଛି । ତେବେ ଆଗାମୀ ପାର୍ବଣ ଋତୁରେ ଏହାକୁ ବାହାରକୁ ଚାଲାଣ କରି ବିକ୍ରି କରିବା ଲକ୍ଷ୍ୟରେ ଗୁପ୍ତ କୋଠରୀ ମାନଙ୍କରେ ଗଛିତ ରଖାଯାଇଥିବା ଚଢ଼ାଉକାରୀ ଅଧିକାରୀମାନେ କହିଛନ୍ତି । ଏହି ଅଞ୍ଚଳରୁ ମଦ ପ୍ରସ୍ତୁତ ହୋଇ ରାଜ୍ୟ ଚାରିଆଡ଼େ ବିଶେଷ କରି କଟକ, ଭୁବନେଶ୍ୱର, ଢେଙ୍କାନାଳ, ଚୌଦ୍ୱାର, ସାଲେପୁର, ବାଙ୍କୀ ଓ ନୟାଗଡ଼ ଅଞ୍ଚଳକୁ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିଛି । ଏହି ଗ୍ରାମର ମଦ ମାଫିଆମାନେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ବଟି ଦେଇ ବର୍ଷବର୍ଷ ଧରି ଏହି ଧନ୍ଦା କରିଥାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଥିଲା । ମଦ ଚାଲାଣ କାର୍ଯ୍ୟରେ ଶତାଧିକ ଦୁଇ ଚକିଆ ଓ ନାମିଦାମୀ ଚାରିଚକିଆ ଗାଡି ବ୍ୟବହାର କରିଥାଆନ୍ତି । ମାଫିଆମାନେ ସେମାନଙ୍କ ବିରାଟ ଅଟ୍ଟାଳିକା ମାନଙ୍କରେ ଛାତ ଉପରେ ପାଣିଟାଙ୍କିର ଭ୍ରମ ସୃଷ୍ଟି କରି ଓ ମାଟି ତଳେ ସମ୍ପ ଟାଙ୍କି ନିର୍ମାଣ କରି ଅଭିନବ ଉପାୟରେ ପୋଚ ଗଛିତ ରଖିଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା । ଚଢ଼ାଉ ବେଳେ ୨୦୬୦ ଲିଟର ଦେଶୀ ମଦ ଓ ୧୨୯୮୫ ଲିଟର ପୋଚ ନଷ୍ଟ କରାଯାଇଛି । ତେବେ ମଦ ମାଫିଆମାନେ ଚଢ଼ାଉର ସୁରାକ ପାଇ ଖସିଯାଇଥିବା ଜଣାପଡ଼ିଛି । ତେବେ ଏ ସଂକ୍ରାନ୍ତରେ ୫ଗୋଟି ମାମଲା ରୁଜ୍ଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଇଛି । କଟକ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବଚନ୍ଦ୍ର ଦାସ, ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଭଞ୍ଜ, ନରସିଂପୁର ଅବକାରୀ ଅଧିକାରୀ ଦେବାନନ୍ଦ ଭୂୟାଁ, ତିଗିରିଆ ଥାନା ସହକାରୀ ଉପନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ, ଚୌଦ୍ୱାର ଅବକାରୀ ଭାରପ୍ରାପ୍ତ ଅଧିକାରୀ ନିରାକାର ଦେଉରୀ ଓ ବାଙ୍କୀ ଅବକାରୀ ଅଧିକାରୀ ତେଜେଶ୍ୱର ଲାକ୍ରାଙ୍କ ସମେତ ବହୁକର୍ମଚାରୀ ସାମିଲ ଥିଲେ ।