ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର
ଆଠଗଡ଼(ଏନ୍.ଏମ୍.): ପ୍ରଶାସନ ପକ୍ଷରୁ ଚୋରା ଦେଶୀ ମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ନିମନ୍ତେ ଯେତେ ପଦକ୍ଷେପ ନେଲେ ମଧ୍ୟ ଚୋରା ମଦ ମାଫିଆଙ୍କ ପାଖରେ ସବୁ ବିଫଳ ହୋଇଛି । ଫଳରେ ବିଭାଗୀୟ କର୍ତ୍ତୃପକ୍ଷ ଡାଳେ ଡାଳେ ଗଲେ ମଦ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅତୀତରେ ଚୋରା ଦେଶୀ ମଦ ଯୋଗୁଁ ଶହ ଶହ ଜନସାଧାରଣ ମୃତ୍ୟୁ ମୁଖରେ ପଡ଼ିଥିଲେ ସୁଦ୍ଧା ଲୋକେ ଆଜିବି ସଚେତନ ନହେବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ତେବେ ବିଭିନ୍ନ ଅଞ୍ଚଳରେ ମଦ ମାଫିଆମାନେ ଚୋରାରେ ପୋଚ ପ୍ରସ୍ତୁତି କରି ମଦ ରାନ୍ଧି ବିକ୍ରି କରୁଥିବା ଜଣାପଡ଼ିବା ପରେ ଜିଲ୍ଲାପ୍ରଶାସନ ତଥା ଅବକାରୀ ବିଭାଗ ପକ୍ଷରୁ ରୀତିମତ ଚଢ଼ାଉ କରାଯିବା ସହ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଉଛି । ଏଥି ସହିତ ବହୁ ମଦ ମାଫିଆମାନଙ୍କୁ ଗରିଫ କରି କୋର୍ଟ ଚାଲଣ କରାଯାଉଛି । ତଥାପି ସେମାନେ ଜାମିନରେ ଆସି ପୁଣି ମଦ କାରବାରରେ ଲିପ୍ତ ରହିବା ଯୋଗୁଁ ବିଭାଗୀୟ ଅଧିକାରୀଙ୍କ ପାଇଁ ଚୋରା ମଦ ବ୍ୟବସାୟ ରୋକିବା ସତେ ଯେମିତି ଚାଲେଞ୍ଜ ହୋଇ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମରେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ଓ ଆଠଗଡ଼ ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଚୋରା ମଦ ବ୍ୟବସାୟୀମାନେ ବେଆଇନ ଭାବେବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତ ପାଇଁ ଗୁଡ଼ ପୋଚକୁ ଅବକାରୀ କର୍ମଚାରୀ ମାନେ ଠାବ କରି ସେଗୁଡିକ ନଷ୍ଟ କରି ଦେଇଥିଲେ । ତେବେ ଏତେ ପରିମାଣର ଗଛିତ ଥିବା ମଦକୁ ଦେଖି ଅବକାରୀ କର୍ମଚାରୀ ମାନେ ତାଯୁବ ହୋଇଥିଲେ । ତେବେ ଚଢ଼ାଉ ପୂର୍ବରୁ ପ୍ରତିଥର ଭଳି ଏଥର ମଧ୍ୟ ଚୋରା ମଦ ବ୍ୟବସାୟୀ ମାନେ ଖସି ଯାଇଥିଲେ । ତେବେ ଅବକାରୀ ବିଭାଗ ପକ୍ଷରୁ ଏ ନେଇ ତିନିଗୋଟି ମାମଲା ରୁଜ୍ଜୁ ହୋଇଥିବା ଜଣାପଡ଼ିଛି । ଆଠଗଡ଼ ଅବକାରୀ ନିରୀକ୍ଷକ କେଶବଚନ୍ଦ୍ର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଇନ୍ସପେକ୍ଟର ସଞ୍ଜିତ ବାରଲା, ନରସିଂପୁର ଅବକାରୀ ଥାନା ଉପନିରୀକ୍ଷକ ଦେବାନନ୍ଦ ଭୂୟାଁ ଓ ଅନ୍ୟ ଅଧିକାରୀ ଉପସ୍ଥିତଥିଲେ ।